ଓଡିଶାକୁ ଅସମ୍ମାନ କରିବା ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇ ନୂଆଦିଲ୍ଲୀରୁ ଗିରଫ ହୋଇଥିବା ବଙ୍ଗୀୟ ଯୁବକ ଅଭିଜିତ ଆୟାର ମିତ୍ର ଶେଷରେ ରାଜ୍ୟ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି. ନିଜ ମନ୍ତବ୍ୟ ପାଇଁ ହାତ ଯୋଡି ଭୁଲ୍ ମାଗିଛନ୍ତି. ତେବେ ସେ ଯେଉଁ ଭୁଲ୍ କରିଛନ୍ତି, ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର. ଗୃହ କମିଟି ଜେରା ପରେ ଅଭିଜିତଙ୍କୁ ପୋଲିସ ଗିରଫ କରି ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା. କୋର୍ଟ 14 ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି.
ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷତାରେ ଗଠିତ 6 ଜଣିଆ ସଦସ୍ୟ ବିଶିଷ୍ଟ ଗୃହ କମିଟି ବୈଠକ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଦିନ 11ଟାରେ ବସିଥିଲା. କମିଟି ସଦସ୍ୟ ଭାବେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଜେପି ବିଧାୟକ ଦଳ ନେତା କେ.ବି.ସିଂହଦେଓ ଉପସ୍ଥିତ ଥିଲେ. ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ କୁହାଯାଉଥିବା ଏହି ବଙ୍ଗୀୟ ଯୁବକ ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବିରୋଧରେ ଅଶାଳୀନ ଓ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ. ଏହାକୁ ନେଇ ବିଧାନସଭାରେ ତୀବ୍ର ପ୍ରତିବାଦ ହେବା ପରେ ଘଟମାର ତଦନ୍ତ ପାଇଁ ଗୃହ କମିଟି ଗଠନ ହୋଇଥିଲା. କମିଟି ଡିଜିପି, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଦୁଇଟି ଗଣମାଧ୍ୟମ ସଂସ୍ଥାର ମୁଖ୍ୟଙ୍କ ବୟାନ ରେକର୍ଡ କରିବା ପରେ ଅଭିଜିତଙ୍କୁ ଗୃହ କମିଟି ଆଗରେ ହାଜର ହେବାକୁ ଗତ ଅକ୍ଟୋବର 11 ତାରିଖରେ ନିର୍ଦ୍ଦେଶ ଦେଇଥିଲେ. ମାତ୍ର ଅଭିଜିତ କମିଟି ଆଗରେ ହାଜର ନ ହୋଇ ବାହାରେ ନିଜ ଦୋଷ ସ୍ବୀକାର କରିଥିଲେ. ଆଜି କମିଟି ଅଭିଜିତଙ୍କ ବୟାନ ଶୁଣିଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ଆସନ୍ତା ନଭେମ୍ବର 2 ତାରିଖରେ ସେ ହାଜର ହେବେ. ଅଭିଜିତଙ୍କୁ ସହିଦନଗର ଥାନା ହେପାଜତକୁ ନେଇଛନ୍ତି. ଅଭିଜିତଙ୍କ ସତ୍ୟପାଠ ତର୍ଜମା କରିବା ପରେ ଗୃହ କମିଟି ତାଙ୍କ ରିପୋର୍ଟ ବିଧାନସଭାର ପରବର୍ତ୍ତୀ ଅଧିବେସନରେ ଦାଖଲ କରିବେ.













