ଭୁବନେଶ୍ବର: ଭିଜିଲାନ୍ସ ବିଭାଗ ପକ୍ଷରୁ R&B ଡିଭିଜନ୍-୧ କାର୍ଯ୍ୟାଳୟରେ ଘଟିଥିବା ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ ଘଟଣାରେ ଆଉ ତିନି ଜଣ ସରକାରୀ କର୍ମଚାରୀ ଗିରଫ ହୋଇଛନ୍ତି। ଏହାକୁ ମିଶାଇ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି। ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍-୧ର ପିଅନ କୁମୁଦ ସାହୁ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଭୁବନେଶ୍ୱର R&B ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ରହିଛି। ମୁଖ୍ୟ ଅଭିଯୁକ୍ତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ ଥରରେ ଫୋନ୍‌ପେ ମାଧ୍ୟମରେ ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରାଙ୍କୁ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ। ଜାଲ୍ ବିଲ୍ ଗୁଡ଼ିକୁ ବିନା ଆପତ୍ତିରେ ପାସ୍ କରାଇବା ପାଇଁ ଏହି ଲାଞ୍ଚ ଟଙ୍କା ଦିଆଯାଇଥିଲା। ସେହିପରି ଅନ୍ୟତମ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦାସ ପୂର୍ବରୁ ଭୁବନେଶ୍ୱର R&B ଡିଭିଜନ୍-୧ରେ ଜୁନିୟର ଆସିଷ୍ଟାଣ୍ଟ ଥିବାବେଳେ ନିଜର, ନିଜ ମାଆ ନୟନା ଦାସ ଏବଂ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଅଭିଯୁକ୍ତମାନଙ୍କୁ ଦେଇଥିଲେ।

LEAVE A REPLY

Please enter your comment!
Please enter your name here