ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନ୍‌ଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ଶିଶୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତ ଶିଶୁଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପେଶାୱରର ଦିର୍ କଲୋନୀସ୍ଥିତ ଏକ ବିଦ୍ୟାଳୟରେ ଶ୍ରେଣୀଗୃହ ଚାଲିଥିବା ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ ପିଲା କଂକ୍ରିଟ୍ ଓ ମାଟିର ଭଗ୍ନାବଶେଷ ତଳେ ଫସି ରହିଥିଲେ। ଉଦ୍ଧାରକାର୍ଯ୍ୟ ବିଳମ୍ବ ହେବାରୁ ଭଗ୍ନାବଶେଷ ତଳେ ଶ୍ୱାସରୁଦ୍ଧ ହୋଇ ଅନେକ ଶିଶୁଙ୍କର ପ୍ରାଣହାନି ଘଟିଥିବା କୁହାଯାଉଛି। ଗୁରୁତର ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ସେନାର ସହାୟତା ଲୋଡ଼ାଯାଇଥିଲା। ସେନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ହଟାଇବା ସହ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଛନ୍ତି। ସ୍କୁଲ କୋଠାଟି ଅତ୍ୟନ୍ତ ପୁରୁଣା ଏବଂ ମାଟି ଓ କାଠରେ ନିର୍ମିତ ହୋଇଥିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here