କଟକ:ଆଜି ସକାଳେ ରେଳ ଧାରଣାରୁ ଜଣେ ପୋଲିସ ASI ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଏଏସ୍ଆଇ ଜଣକ ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ।ସୂଚନା ଅନୁଯାୟୀ,କଟକ ନିକଟସ୍ଥ ରେଳଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ତାହା ଏଏସ୍ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କର ବୋଲି ପରିଚୟ ମିଳିଥିଲା। ଘଟଣାସ୍ଥଳରୁ ମୃତଦେହକୁ ଜବତ କରାଯାଇ ପୋଷ୍ଟମୋର୍ଟମ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।ତେବେ କେଉଁ ପରିସ୍ଥିତିରେ ଏବଂ କିପରି ତାଙ୍କ ମୃତଦେହ ଟ୍ରେନ ଟ୍ରାକ୍କୁ ଆସିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ନେଇ ଜିଆରପି ଓ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ମୃତ ଏଏସ୍ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କ ମୂଳ ଘର ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରେ। ସେ କଟକ ବିଡ଼ାନାସୀ ଚହଟା ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ। ସେ ବର୍ତ୍ତମାନ ପୋଲିସ ବିଭାଗରେ ତାଲିମନେଉଥିବା ବେଳେ କଟକରେ ଦୁର୍ଗାପୂଜା ଓ ଭସାଣି ଉତ୍ସବ ପାଇଁ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସ୍ପେଶାଲ ଡ୍ୟୁଟିରେ ନିୟୋଜିତ ହୋଇଥିଲେ।










