ଭଦ୍ରକ: ଗତକାଲି ରାତି ପ୍ରାୟ ସାଢେ ୧୨ ଟା ବେଳେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଯାଇଥିବା ରାସ୍ତାରରେ ଏକ ପୋଲିସ ଭ୍ୟାନ ସହ ଲୁହା ବୋଝେଇ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି । ପୁରୀ ଅଞ୍ଚଳରୁ ତଦନ୍ତରେ ଆସିଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଏପିଆର କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସବ୍-ଇନ୍ସପେକ୍ଟର ଓ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ମୃତାହତ ପୁଲିସ କର୍ମଚାରୀମାନେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର। ସେମାନେ ଏକ ମୋବାଇଲ ଫୋନ ଚୋରି ମାମଲାରେ ଭଦ୍ରକ ଜିଲ୍ଲା ନାୟକାଣିଡିହିକୁ ଯାଇଥିଲେ । ସେଠାରୁ ମୋବାଇଲ ଫୋନ ସିଜ୍ କରି ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାସୁଦେବପୁର – ଧାମରା ରାସ୍ତାର ବିରସ ଛକ ନିକଟରେ ଘଟିଥିଲା ଦୁର୍ଘଟଣା। ଜଣେ ଏପିଆର କନଷ୍ଟେବଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଏପିଆର କନଷ୍ଟେବଲଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ପୁଲିସ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।













