ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ବାଇକ୍ କୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ କ୍ରାଇମବ୍ରାଞ୍ଚ । ଉବର୍ ଓ ରାପିଡୋ ଭଳି ଅନଲାଇନ୍ ଯାତ୍ରୀ ପରିବହନ ସଂସ୍ଥାକୁ ଘରୋଇ ବାଇକ୍ ରେ ଯାତ୍ରୀ ବୁକିଂ ସୁବିଧା ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ଉଭୟ ସଂସ୍ଥାକୁ ୧୫ ଦିନର ସମୟ ଦିଆଯାଇଛି । ୧୦ ତାରିଖରେ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି । କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆର୍ ଟିଓଙ୍କ ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ଅନଲାଇନ୍ ଆପ୍ ମାଧ୍ୟମରେ କେତେକ ଘରୋଇ ଦୁଇଚକିଆ ଯାନକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ନିୟୋଜିତ କରାଯାଉଛି । ଏହା ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍ -ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍ ଲାଇନ୍ସ, ୨୦୨୩ର ଉଲ୍ଲଂଘନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି । ଏହି କାରଣରୁ ଉବର୍ ଓ ରାପିଡୋର ନୋଡାଲ୍ ଅଧିକାରୀଙ୍କୁ ଚିଠି ଲେଖି ଓଡ଼ିଶାରେ ଅନଧିକୃତ ଘରୋଇ ବାଇକ୍ ବୁକିଂ ସୁବିଧା ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ଜିଓ-ଫେନ୍ସିଂ କିମ୍ବା ଅନ୍ୟ ଉପଯୁକ୍ତ ବୈଷୟିକ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିର୍ଦ୍ଦେଶ ସମସ୍ତ ବାଇକ୍ କିମ୍ବା ସମସ୍ତ ଆପ୍ ଭିତ୍ତିକ ଯାତ୍ରୀ ପରିବହନ ସେବା ଉପରେ ଲାଗୁ ହେବ ନାହିଁ। କେବଳ ବ୍ୟବସାୟିକ ଯାତ୍ରୀ ପରିବହନ ପାଇଁ ଅନୁମତି ନଥିବା ଘରୋଇ ଦୁଇଚକିଆ ଯାନର ବୁକିଂ ବନ୍ଦ କରିବାକୁ କୁହାଯାଇଛି । ଉବର୍ ଓ ରାପିଡୋର କ୍ୟାବ୍ ଏବଂ ଅଟୋ ସେବା ପୂର୍ବଭଳି ଚାଲୁ ରହିବ। ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ଉଭୟ ସଂସ୍ଥାକୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସହ ଏକ ବିସ୍ତୃତ ଅନୁପାଳନ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here