ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର, ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନୋଟି ଅତ୍ୟାଧୁନିକ ପରୀକ୍ଷାଗାର ସୁବିଧାର ଶୁଭାରମ୍ଭ । ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରୀ, ଇମ୍ୟୁନୋଲୋଜି ଲାବୋରେଟୋରୀ ଏବଂ ଏଚ୍ପିଏଲ୍ସି ଲାବୋରେଟୋରୀକୁ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଛନ୍ତି। ଏହି ଉନ୍ନତ ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟନ୍ତ ସୂକ୍ଷ୍ମ ମାତ୍ରାରେ ଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଇପାରିବ, ଯାହା ରୋଗ ନିର୍ଣ୍ଣୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ନଥିବା ଡ. ବିଶ୍ବାସ କହିଛନ୍ତି । ଏହି ଅବସରରେ ଡିନ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଡିନ୍ ତଥା ବାୟୋକେମିଷ୍ଟ୍ରି ବିଭାଗୀୟ ମୁଖ୍ୟ ଡ. ମନସ୍ୱିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ନବଜାତ ଶିଶୁଙ୍କ ପାଇଁ ୭ଟି ନୂତନ ପରୀକ୍ଷଣ ମାନକ ସ୍ଥିର କରାଯିବା ସହିତ ଅନଲାଇନ୍ ରିପୋର୍ଟିଂ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତିତ ‘ଇମ୍ୟୁନୋରିଆକ୍ଟିଭ୍ ଟ୍ରିପସିନୋଜେନ୍’ (ଆଇଆରଟି) ମାଧ୍ୟମରେ ‘ସିଷ୍ଟିକ୍ ଫାଇବ୍ରୋସିସ୍’ ପରୀକ୍ଷା ମଧ୍ୟ ଆରମ୍ଭ କରାଯିବ। ଏହି ପରୀକ୍ଷାଗାରରେ ଗର୍ଭକାଳୀନ ସ୍ୱତନ୍ତ୍ର ପରୀକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଇମ୍ୟୁନୋଲୋଜି ପରୀକ୍ଷାଗାରକୁ ‘ସିମେନ୍ସ ଆଟେଲିକା ନେଫେଲୋମିଟର’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସୁଦୃଢ଼ କରାଯାଇଛି। ବର୍ତ୍ତମାନ ଏଥିରେ ଛଅଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି। ମଧୁମେହ ନିର୍ଣ୍ଣୟ ଏବଂ ମନିଟରିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ପାଇଁ ଏଚପିଏଲ୍ସି ପରୀକ୍ଷାଗାର ବିଶେଷ ସହାୟକ ହେବ।

LEAVE A REPLY

Please enter your comment!
Please enter your name here