ଭୁବନେଶ୍ୱର: ରାସ୍ତାରେ ଟ୍ରାଫିକ୍ ପୋଲିସ ଥାଆନ୍ତୁ କି ନଥାଆନ୍ତୁ, ନିୟମ ଭାଙ୍ଗିଲେ ସିଧା ଘରେ ପହଞ୍ଚିବ ଇ-ଚାଲାଣ । ଡିସେମ୍ବର ୧ ତାରିଖରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ଅତ୍ୟାଧୁନିକ କ୍ୟାମେରା ଓ ଟେକ୍ନୋଲୋଜି ମାଧ୍ୟମରେ ଚାରି ପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ରଖାଯିବ ନଜର । ଦ୍ରୁତ ଗତି, ବିନା ହେଲମେଟରେ ଗାଡ଼ି ଚାଳନା, ବାଇକରେ ତିନି ଜଣ ଯାତ୍ରା ଏବଂ ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କଟିବ ଚାଲାଣ । ଏହି ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ ବ୍ୟବସ୍ଥା ମାଧ୍ୟମରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ଚିହ୍ନଟ କରାଯିବ । ନିୟମ ଉଲ୍ଲଂଘନ ନୁହେଁ, ଗାଡ଼ିର ବେଗ ଉପରେ ମଧ୍ୟ କଡ଼ା ନଜର ରହିବ। ଦୁଇଚକିଆ ଯାନ ପାଇଁ ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗ ଧାର୍ଯ୍ୟ ହୋଇଛି । ସେହିପରି କାର୍ ଓ ଜିପ୍ ଭଳି ହାଲୁକା ମୋଟର ଯାନ ପାଇଁ ୧୦୦ କିଲୋମିଟର ଏବଂ ଟ୍ରକ୍ ଓ ବସ୍ ଭଳି ଭାରୀ ଯାନ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗ ସୀମା ରହିଛି ।
ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଇ-ଚାଲାଣ ସହ ନିୟମ ଉଲ୍ଲଂଘନର ସ୍ପଷ୍ଟ ଫଟୋ କିମ୍ବା ଭିଡିଓ ପ୍ରମାଣ ରହିବ । ଏହା ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ଉଲ୍ଲଂଘନ ହୋଇଥିବା ତାରିଖ ଓ ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଫଳରେ କେଉଁ ସ୍ଥାନରେ ଏବଂ କେଉଁ ନିୟମ ଭାଙ୍ଗିବା ଯୋଗୁଁ ଚାଲାଣ କଟିଛି, ତାହା ଗାଡ଼ି ମାଲିକ ଜାଣିପାରିବେ । କେବଳ ଦୈତାରୀ-ଚଣ୍ଡିଖୋଲ ନୁହେଁ, ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ରାସ୍ତାରେ ମଧ୍ୟ IEMS କାର୍ଯ୍ୟକ୍ଷମ ରହିଛି । ରାମେଶ୍ୱରରୁ ପାଣିକୋଇଲି, ଭୁବନେଶ୍ୱରରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି, କଟକରୁ ପାରାଦୀପ, ଗିରିଶୋଳାରୁ ରାମେଶ୍ୱର, ପାଣିକୋଇଲିରୁ ଲକ୍ଷ୍ମଣନାଥ ଭଳି ରାସ୍ତାରେ ଏହି ବ୍ୟବସ୍ଥା ଚାଲୁ ରହିଛି । ଏହାବ୍ୟତୀତ ବଲାଙ୍ଗୀରରୁ ତୁରେକେଲା, ବ୍ରହ୍ମପୁରରୁ ତପ୍ତପାଣି, ବ୍ରହ୍ମପୁରରୁ ଭଞ୍ଜନଗର, ସମ୍ବଲପୁରରୁ ମଙ୍ଗୁଳି, ବଡ଼ବିଲରୁ ପାଣିକୋଇଲି, ସମ୍ବଲପୁରରୁ ରାଉରକେଲା ଏବଂ ସୋହେଲାରୁ ନୂଆପଡ଼ା ରାସ୍ତାରେ ମଧ୍ୟ IEMS କାର୍ଯ୍ୟକ୍ଷମ ରହିଛି ।














