ସୁନ୍ଦରଗଡ: ଓଡ଼ିଶା ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରର ଜଣେ ପୌରପାଳିକା କର୍ମଚାରୀ | ତାଙ୍କ ବିରୋଧରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ’ ର ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ଜଣକ ହେଲେ ବିରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ଇନ୍‌ଫ୍ରାଷ୍ଟ୍ରକଚର୍ ଏକ୍ସପର୍ଟ’ ଭାବେ କାର୍ଯ୍ୟରତ ବୈବସ୍ୱତ ମନୁ ରାଉତ। ଭିଜିଲାନ୍ସ ବିଭାଗର ତଥ୍ୟ ଅନୁଯାୟୀ, ଏହି ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ମୋଟ ୨.୫ ଲକ୍ଷ ଟଙ୍କା ମଧ୍ୟରୁ ବାକି ଥିବା ୧,୩୦,୦୦୦ ଟଙ୍କା ପ୍ରଦାନ କରାଇଦେବା ପାଇଁ ସେ ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ବାକି ଟଙ୍କା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେଉନଥିଲେ। ବରଂ ଉକ୍ତ ଟଙ୍କା ମଞ୍ଜୁର କରାଇଦେବା ବଦଳରେ ୩୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଜଣକ ଜଣେ ଗରିବ ଆଦିବାସୀ ଏବଂ ଏହି ଆବାସ ଯୋଜନାର ହିତାଧିକାରୀ ହୋଇଥିବାରୁ ସେ ଏତେ ଟଙ୍କା ଦେବାକୁ ଅକ୍ଷମ ବୋଲି ଜଣାଇଥିଲେ। ତଥାପି ବୈବସ୍ୱତ ମନୁ ରାଉତ ଲାଞ୍ଚ ନେବା ପାଇଁ ଜିଦ୍ ଧରି ବସିଥିଲେ। ଏହା ପରେ ଆଜି ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ନେଉଥିବା ସମୟରେ ତାଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଲାଞ୍ଚ ବାବଦକୁ ନିଆଯାଇଥିବା ସମସ୍ତ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ‘ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅଧୀନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here