ରାଜ୍ୟସଭାରେ ଅଟକିଛି ଟ୍ରିପଲ ତଲାକ୍ ଶୁଣାଣି । ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ମୁସଲିମ୍‌ ସମ୍ପ୍ରଦାୟରେ ପ୍ରଚଳିତ ଇନ୍‌ଷ୍ଟାଣ୍ଟ ଟ୍ରିପଲ ତଲାକ୍‌କୁ ଅପରାଧ ଭାବେ ବିବେଚନା କରିବାକୁ ଆଣିଥିବା ବିଲ୍‌କୁ ଉପସ୍ଥାପନ କରିଥିଲେ । କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏହା ଉପରେ ଆଲୋଚନା ହୋଇପାରି ନଥିଲା । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିଲ୍‌କୁ ସଂସଦର ଚୟନ କମିଟିକୁ ପଠାଇବାକୁ ଅଡ଼ି ବସିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ୨ ତାରିଖ ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି କେନ୍ଦ୍ର ସରକାର ଗୃହରେ ବିଲ୍‌ ଉପସ୍ଥାପନ କରିବା ପରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ଟିଡିପି, ଜେଡିଏସ୍‌, ସିପିଆଇ, ସିପିଆଇଏମ୍‌,କେରଳ ମଣି କଂଗ୍ରେସ ଓ ଆପ୍‌ ପକ୍ଷରୁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ଧାରା ୧୨୫ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ନୋଟିସ୍‌ ଦେଇଥିଲେ । ଏଥିରେ ତିନ୍‌ ତଲାକ ବିଲ୍‌କୁ ଚୟନ କମିଟିକୁ ପଠାଇବାକୁ ଦାବି କରାଯାଇଥିଲା । ହେଲେ ଅଧ୍ୟକ୍ଷ ଏହା ଉପରେ କୌଣସି ନିଷ୍ପତ୍ତି ନ ନେବାରୁ ଗୃହରେ ବିରୋଧୀ ଦଳଗୁଡ଼ିକ ନାରାବାଜି କରିଥିଲେ । ପ୍ରଥମେ ଗୃହକୁ ରାଜ୍ୟସଭା ଅଧ୍ୟକ୍ଷ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ । କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ନାରାବାଜି ହୋଇଥିଲା । ଫଳରେ ଅଧ୍ୟକ୍ଷ ଗୃହକୁ ଜାନୁଆରୀ ୨ ଯାଏ ମୁଲତବୀ କରିଛନ୍ତି ।

ଟ୍ରିପଲ ତଲାକରେ ଥିବା ଦଣ୍ଡାଦେଶକୁ କୋହଳ କରିବା ପାଇଁ ବିରୋଧୀ ଅଡି ବସିଛନ୍ତି. ଟ୍ରିପଲ ତଲାକ ବିଲରେ ଥିବା ତିନିବର୍ଷ ଜେଲ୍ ଦଣ୍ଡାଦେଶ ବଦଳରେ କେବଳ ଜରିମାନା ରଖିବାକୁ ବିରୋଧୀ ଦାବି କରୁଛନ୍ତି. ତେବେ ସବୁଠୁ ବଡ ପ୍ରସଙ୍ଗ ହେଉଛି, ଟ୍ରିପଲ ତଲାକ ବିଲ୍ ପାରିତ ହେଲେ ମୁସଲିମ ସଂପ୍ରଦାୟର ମହିଲାଙ୍କୁ ନ୍ୟାୟ ମିଳିବ ବୋଲି କୁହାଯାଉଥିଲେ ହେଁ ଏହାକୁ ଝୁଲେଇ ରଖିବା ପଛରେ ଭୋଟ ରାଜନୀତି ରହିଛି.

LEAVE A REPLY

Please enter your comment!
Please enter your name here