ଜାତୀୟ ସ୍ତରରେ ବିଜେପି ବିରୁଦ୍ଧରେ ଦାନା ଧରୁଥିବା ମହାଗଠବନ୍ଧନରେ ସାମିଲ ହେବେ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ଦରକାର ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ନୂଆଦିଲ୍ଲୀରେ ବିଜେଡିର ଚାଷୀ ସମାବେଶରେ ଯୋଗ ଦେବା ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଛନ୍ତି । ସୁଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଅଣବିଜେପି ଦଳମାନେ ମହାଗଠବନ୍ଧନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଓଡିଶା ଆସିଥିବାବେଳେ ନବୀନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବା ଉପରେ ନବୀନ ଗୁରୁତ୍ୱ ଦେଇ ଆସୁଛନ୍ତି । ଆଜି ଦିଲ୍ଲୀରେ ଚାଷୀ ସମାବେଶରେ ନବୀନ ମୋଦି ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଓଡିଶାର ଚାଷୀମାନଙ୍କୁ ସେ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି । ଅପରାହ୍ନରେ ବିଜେଡିର ଏକ ପ୍ରତିନିଧି ଦଳ ସହ ନବୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ଗତ ୧୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନବୀନ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭର ନେତୃତ୍ୱ ନେଇଛନ୍ତି ।