ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଆମ ପୂର୍ବସୂରୀମାନେ ଯେପରି ନିଷ୍ଠାର ସହ କାର୍ଯ୍ୟ କରିଥିଲେ, ଓଡିଶାର ଅଖଣ୍ଡତା ବଜାୟ ରଖିବା ପାଇଁ ଆମ ସରକାର, ଆମ ନେତୃତ୍ବ, ଆମ ଶାସନ ବ୍ୟବସ୍ଥା ସେତିକି ଢିଲା ମାରିବାରେ ଲାଗିଛି । ମା, ମାଟି, ମାତୃଭୂମି ପ୍ରତି ମମତା ନରହିଲେ ଏହାର ସୁରକ୍ଷା ସମ୍ଭବ ନୁହେଁ । ବ୍ରିଟିଶ ଶାସନ କାଳରେ ଭାଷାଭିତ୍ତିକ ରାଜ୍ୟ ଗଠନ କରିବାରେ ଆମ ପୂର୍ବସୂରୀମାନେ ସଫଳ ହୋଇଥିଲେ । ସମଗ୍ର ଭାରତ ବର୍ଷରେ ଓଡିଶା ଥିଲା ପ୍ରଥମ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ । ମାତ୍ର ଦୁଃଖର ବିଷୟ, ସ୍ବତନ୍ତ୍ର ପ୍ରଦେଶ ଗଠନର 85 ବର୍ଷ ପରେ ଆମ ସୀମାନ୍ତ ଭୂଖଣ୍ଡକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଜୋରଜବରଦସ୍ତ କବଜା କରି ନେଉଛି । ପଡୋଶୀ ରାଜ୍ୟଗୁଡିକ ସହ ସୀମା ବିବାଦର ଆଇନଗତ ସମାଧାନ କରିବାରେ ସରକାର ଓ ନେତୃତ୍ବ ଉଭୟ ବିଫଳ ହୋଇଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ତିନୋଟି ଗାଁର ନାଁ ବଦଳାଇ ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିଦେଲେ, କିନ୍ତୁ ଆମ ସରକାର କିଛି କରିପାରିଲେନି । ନିର୍ବାଚନ ପୂର୍ବରୁ ଭୋଟର କାର୍ଡ ପ୍ରସ୍ତୁତି ହେଲା, ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଲା, ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଓଡିଶା ସରକାର କେବଳ ସୁପ୍ରିମକୋର୍ଟରେ ଆବେଦନଟିଏ କରି ବସିପଡିଲେ । ଯଦି ଯଥେଷ୍ଟ ସମୟ ଆଗରୁ କୋର୍ଟ ଯାଇଥାନ୍ତେ, ହୁଏ ନିର୍ବାଚନ ବାତିଲ ପାଇଁ କୋର୍ଟ ଆଦେଶ ଦେବାର ସମ୍ଭାବନା ଥିଲା । ଏବେ ଓଡିଶା ସୀମାନ୍ତ ଭିତରେ ପୋଲିସ ଫୋର୍ସ ଭର୍ତ୍ତି କରି ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରିଛନ୍ତି । ଅତଏବ, ଓଡିଶାର ଦୁର୍ବଳ ନେତୃତ୍ବ ପାଇଁ ସୀମା ସୁରକ୍ଷା ସମ୍ଭବ ହୋଇପାରିନି । ଆମ ସୀମା ଭିତରକୁ ପଡୋଶୀ ରାଜ୍ୟର ଅଧିକାରୀମାନେ ପ୍ରବେଶ କରି ନିର୍ବାଚନ ପରିଚାଳନା କରୁଥିବା ବେଳେ ସରକାର ସେମାନଙ୍କୁ ବାଧା ଦେବା ପାଇଁ ପ୍ରୟାସ ହିଁ କରିନାହାଁନ୍ତି । ଯଦି ଠିକଣା ଢଙ୍ଗରେ ନିଷ୍ଠା ଓ ଆନ୍ତରିକତାର ସହ ସରକାର କାର୍ୟ୍ୟ ନ କରନ୍ତି, ତେବେ ଆଗକୁ ଆମର ସୀମା ସୁରକ୍ଷା ଆହୁରି ସଂକଟ ମଧ୍ୟକୁ ଠେଲି ହୋଇଯିବ ।

LEAVE A REPLY

Please enter your comment!
Please enter your name here