ରାସ୍ତା କହିଲେ ଆବୁଡା ଖାବୁଡା ପଥର । ଆଉ ଘର କହିଲେ ନୂଆଣିଆ ଝାଟିମାଟି କାନ୍ଥ ଉପରେ ବିଛା ଯାଇଥିବା କିଛି ଅସଜଡା ଟାଇଲ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏହି ଗାଁର ନାଁ ଡାବଗୁଡା । ସ୍ୱାଧୀନ ଭାରତର ନାଗରିକ ହୋଇଥିଲେ ବି ସତେ ଯେମିତି ପରାଧିନ ଏହି ଗାଁର ଲୋକେ । ଡାବଗୁଡା ଗାଁରେ ଏଯାଏଁ ପଡିନି କେଉଁ ସରକାର ବାବୁ କି ଲୋକ ପ୍ରତିନିଧିଙ୍କ ପାଦ । ବଣ ଜଙ୍ଗଲ ଘେରା ଏ ଦୁର୍ଗମ ଅଞ୍ଚଳକୁ ରାସ୍ତାଟିଏ ନଥିବାବେଳେ ଶାସନ ପ୍ରଶାସନ ବା ଏଠି ପହଁଞ୍ଚିବେ କେମିତି । ପ୍ରଶାସନ ଏମାନଙ୍କ ପାଇଁ ପାଲଟି ଯାଇଛି ନିଦା ବିଷ୍ଣୁ । ଗାଁରେ ୨୪ ଟି ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ ପକ୍କା ସଡକ ଟିଏ ଯାଇ ପାରିନାହି । ବର୍ଷା ଦିନ ଆସିବା ମାତ୍ରେ ଡାବଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳବାସୀଙ୍କ ପାଇଁ ନାହିଁ ପାନୀୟ ଜଳ ସୁବିଧା । ଗାଁରେ ୨ଟି ଟ୍ୟୁବଲ ଥିବା ବେଳେ ୨ଟି ଯାକ ଦୀର୍ଘଦିନରୁ ଅକାମି ହୋଇପଡିଛି । ଫଳରେ ଲୋକେ ଅପରିଷ୍କାର ଭାବେ ପଡି ରହିଥିବା କୁଅରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ପିଲାମାନଙ୍କ ପାଇଁ ସ୍କୁଲ ତ ଦୂରର କଥା ଅଙ୍ଗନୱାଡି କେନ୍ଦ୍ରଟିଏ ନଥିବାରୁ ପୂର୍ବପିଢୀ ଭଳି ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଉତ୍ତର ପିଢି । ଦେହ ପା ଖରାପ ହେଲେ ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ ମହିଳା । ତେବେ ଏ ସବୁ ସମସ୍ୟା ସଂପର୍କରେ ବ୍ଲକ ପ୍ରଶାସନ ପାଖରେ ବି ଖବର ରହିଛି. କୋରୁକୋଣ୍ଡା ବିଡ଼ିଓ ତୁରନ୍ତ ଗ୍ରାମକୁ ରାସ୍ତା ଯୋଗାଯୋଗ କରିବା ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଗାଁର ବିକାଶ ଓ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କର ହଜାରେ ଯୋଜନା । ଅନୁସୁଚିତ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ନେତାଙ୍କର କେତେ ବୟାନବାଜି । ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ବିକାଶ ର ଗତି କେତେ ମନ୍ଥର ତାହା ଏହି ଡାବଗୁଡା ଗ୍ରାମର ଅବସ୍ଥାରୁ ବାରି ହୋଇପଡୁଛି ।

LEAVE A REPLY

Please enter your comment!
Please enter your name here