କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ । ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩ ମହିଳା ପାର୍ଲାମେଣ୍ଟକୁ ଯିବେ ବୋଲି କହିଛନ୍ତି ନବୀନ । ବିଜେଡିର ଏହି ପଦକ୍ଷେପ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବା ଦିଗରେ ସାରାଦେଶକୁ ବାଟ ଦେଖାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମାବେଶରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି, ମହିଳାଙ୍କ ସଶକ୍ତିକରଣ ପାଇଁ ବିଜୁବାବୁ ସ୍ୱପ୍ନ ଦେଖୁଥିଲେ । ଭାରତରେ ପ୍ରଥମ କରି ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ୨୦୧୨ରେ ଆମ ସରକାର ତାକୁ ୫୦ପ୍ରତିଶତକୁ ବୃଦ୍ଧି କରିଛନ୍ତି । ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଓଡ଼ିଶା ବିଧାନସଭାରେ ଗତବର୍ଷ ପ୍ରସ୍ତାବ ପାସ୍‌ ହୋଇଛି । ଏନେଇ ସବୁ ମୁଖ୍ୟମନ୍ତ୍ରୀ ଓ ଦଳଙ୍କ ସହ ଯୋଗାଯୋଗ କରାଯାଇଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସମସ୍ତେ ସହଯୋଗ କରିବେ ବୋଲି ନବୀନ ଆଶା ପ୍ରକାଶ କରିଛନ୍ତି । ସମାବେଶରେ ଏସ୍‌ଏଚ୍‌ଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଋଣ ବାବଦ ସୁଧ ଫେରାଇଛନ୍ତି । ବିନାସୁଧରେ ଏସ୍‌ଏଚ୍‌ଜିଗୁଡ଼ିକ ୩ ଲକ୍ଷ ଟଙ୍କା ଯାଏଁ ଋଣ ନେଇପାରିବେ ବୋଲି ନବୀନ ପୂର୍ବରୁ ଘୋଷଣା କରିଥିଲେ । ଏହି ଆଧାରରେ ଋଣ ନେଇଥିବା ଏସ୍‌ଏଚ୍‌ଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧ ଫେରସ୍ତ କରିଛନ୍ତି । କେନ୍ଦ୍ରାପଡ଼ା ବାରୋ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଏସ୍‌ଏଚ୍‌ଜି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେମାନଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । କେନ୍ଦ୍ରାପଡ଼ା ମିଶନ ଶକ୍ତି ମହାସମାବେଶରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here