ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ଭୁବନେଶ୍ୱର ବାରଙ୍ଗ ରାସ୍ତାରେ କାର୍ ଭିତରେ ଘଟିଥିଲା ଗଣଦୁଷ୍କର୍ମ । ଯାହାକୁ ନେଇ ସବୁଆଡେ ଜଳିଥିଲା ଅସନ୍ତୋଷର ନିଆଁ । ପୀଡିତାଙ୍କୁ ନ୍ୟାୟ ଦେବାକୁ ବିକ୍ଷୋଭ କରିଥିଲେ ରାଜନୈତିକ ଦଳ । ଏମିତି ଅବସ୍ଥା ହୋଇଥିଲା ଯେ, ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ତେବେ 22 ବର୍ଷ ପରେ କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଛି । ୧୯୯୯ ମସିହା ଜାନୁଆରୀ 9 ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଏହି ଗଣଦୁଷ୍କର୍ମ ଘଟିଥିଲା । ପ୍ରେସମିଟରେ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଅଭିଯୁକ୍ତକୁ ଧରିବା ପାଇଁ ୩ ମାସ ହେବ ଅଭିଯାନ ଆରମ୍ଭ କରିଥିଲା ଓଡିଶା ପୋଲିସ । ମହାରାଷ୍ଟ୍ର ପୁଣେରେ ନାମ ବଦଳାଇ ନୂଆ ନାଁ ଜଳନ୍ଧର ସ୍ୱାଇଁ ରଖିଥିଲା ଅଭିଯୁକ୍ତ । ଅଭିଯୁକ୍ତ ନାମ ବଦଳାଇ ସେଠାରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏପରିକି ଜଳନ୍ଧର ସ୍ବାଇଁ ନାଁରେ ସେ ଭୋଟର କାର୍ଡ, ଆଧାର କାର୍ଡ ବି ପାଇଥିଲା । ତେଣୁ କେହି ସନ୍ଦେହ କରିବାର ପ୍ରଶ୍ନ ହିଁ ଉଠୁ ନଥିଲା । ଅଭିଯୁକ୍ତକୁ ଧରିବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯାହା ସିବିଆଇ କରିପାରିଲାନି ତାହା ଆମେ ଆଜି କରି ଦେଖାଇଲୁ । ପାତାଳରୁ ଖୋଜି ବାହାର କଲୁ ବିବନକୁ । ବିବିନକୁ ଗିରଫ କରିବା ଓଡିଶା ପୋଲିସ ପାଇଁ ବଡ ସଫଳତା ବୋଲି ସେ କହିଛନ୍ତି । ବିବନର ଗିରଫ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଜନା ମିଶ୍ର । ବିବନକୁ ଫାଶୀ ଦିଆଯାଉ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here