ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ୍ ସ୍ତମ୍ବ ଲେଖାକୁ ନେଇ ରାଜନୈତିକ ହଇଚଇ । ବିଜେଡି ବିଧାୟକ ହୋଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି ସୌମ୍ୟ । ରାଜ୍ୟ ସରକାରଙ୍କ କରୋନା ମହାମାରୀ ପରିଚାଳନା ଉପରେ ଦାଗ ଲଗାଇ ଦେଇଛନ୍ତି ସୌମ୍ୟ । ହେଲେ ହଠାତ୍ ସୌମ୍ୟ ରଂଜନ ଏମିତି ଛିଙ୍କିଲେ କାହିଁକି ?

ସୌମ୍ୟରଂଜନ ଯାହା ଲେଖିଛନ୍ତି, ତାହା ଭୁଲ୍ କି ଠିକ୍, ସେକଥା ଯେତିକି ଆଲୋଚ୍ୟ ନୁହେଁ, ନବୀନଙ୍କ ମ୍ୟାନେଜମେଣ୍ଟ ଉପରେ ଅଙ୍ଗୁଳି ଉଠାଇବାର ଦୁଃସାହସ କରିବା ସବୁଠୁ ବେଶୀ ଆଲୋଚ୍ୟ । କରୋନା ତ ଏବେ ଆସିନି, ଗତ ଦେଢବର୍ଷ ହେଲାଣି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରୁଛି । କେତେବେଳେ ବିରୋଧୀ ସରକାରଙ୍କ ମାସ୍କ ଦୁର୍ନୀତି କଥା ଉଠାଇଛନ୍ତି ତ ଆଉ କେତେବେଳେ କରୋନା ମୃତ୍ୟୁ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀଙ୍କ ସ୍ବର, ପ୍ରତିବାଦ, ଧର୍ମଘଟ ଯେତିକି ଆଲୋଡନ ସୃଷ୍ଟି କରି ନ ଥିଲା, ଆଜି ସୌମ୍ୟରଂଜନଙ୍କ ଗୋଟିଏ ସ୍ତମ୍ଭଲେଖା ବିଜେଡିରେ ଭୂକମ୍ପ ସୃଷ୍ଟି କରିଛି । ଲୋକଙ୍କ ପାଖରେ ଏବଂ ମିଡିଆରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି ।

ସୌମ୍ୟରଂଜନ ଯାହା ଲେଖିଛନ୍ତି, ସଂକ୍ଷେପରେ ତାହା ହେଉଛି ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି । କରୋନାରେ କେତେଲୋକ ମଲେଣି, ମୁଖ୍ୟମନ୍ତ୍ରୀ ଶ୍ବେତପତ୍ର ପ୍ରକାଶ କରନ୍ତୁ । ସରକାରରେ ଡାହାଣ ହାତ କଣ କରୁଛି, ବାମ ହାତ ଜାଣୁନି । ବାତ୍ୟା, ମରୁଡି, ବିପର୍ଯ୍ୟୟ ମୁକାବିଲାରେ ସବୁବେଳେ ଆଗରେ ରହୁଥିବା ନବୀନ ସରକାର ବିଗତ ଦିନର ସଫଳତା ଅହଂକାରରେ ବାସ୍ତବ ସତ୍ୟ ଲୁଚାଇଛନ୍ତି । ବରଂ ସତ କହିଲେ ଲୋକେ ପ୍ରଶଂସା କରିବେ ।

ସୌମ୍ୟରଂଜନ ଯଦି କେବଳ ଓଡିଶାର ପ୍ରମୁଖ ଖବରକାଗଜର ସଂପାଦକ ହୋଇଥାନ୍ତେ, ଅଥବା କ୍ଷମତାସୀନ ଦଳର ବିଧାୟକ ହୋଇ ବି ଖବରକାଗଜରେ ନିର୍ଭୀକ ସମାଲୋଚନା କରିଆସୁଥାନ୍ତେ, ତେବେ କାହାର କିଛି କହିବାର ନଥିଲା । କିନ୍ତୁ ସୌମ୍ୟରଂଜନଙ୍କ ଆମଘରର ହାଲଚାଲ୍ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ଭଳି ଏମିତି ଲେଖା ସବୁବେଳେ ଆସେନି । ଅର୍ଥାତ ତାଙ୍କର ଏଭଳି ଲେଖା ପଛରେ କିଛି ନା କିଛି କାରଣ ଥାଏ । ସିଧାସଳଖ କହିଲେ ଏମିତି ଲେଖା ପଛରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଅବା ପ୍ରଚ୍ଛଦପଟ୍ଟରେ ରହି ସରକାର ପରିଚାଳନା କରୁଥିବା କୋଟେରୀ ଉପରେ ନାରାଜ ଅଛନ୍ତି ଖବରକାଗଜର ସଂପାଦକ ତଥା ବିଧାୟକ । କୋଉଠି ନା କୋଉଠି କ୍ଷମତା କରିଡରରେ ତାଙ୍କୁ କୋଣଠେସା କରିବାର ଏ ହେଉଛି ପ୍ରତିବାଦ । ଖବରକାଗଜ ବା ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ । ମାତ୍ର ଆଜି ଦିନରେ ଲୋକଙ୍କ ସ୍ବାର୍ଥରକ୍ଷା ବଦଳରେ ମାଲିକଙ୍କ ରାଜନୈତିକ ସୁରକ୍ଷା ପାଇଁ ମିଡିଆ ହାଉସଗୁଡିକ କାମ କରୁଛି । ଏ ପରଂପରାରୁ ସୌମ୍ୟ ରଂଜନଙ୍କୁ ମଧ୍ୟ ବାଦ ଦିଆଯିବା ଠିକ୍ ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ, ଦିବଂଗତ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ସୌମ୍ୟରଂଜନ ସମୟକ୍ରମେ ବିଜେଡିର ବିଧାୟକ । ମାତ୍ର ଖାଲି ବିଧାୟକ ହେଲେ କଣ ହେବ, କ୍ଷମତା କରିଡରରେ ପ୍ରଭାବଶାଳୀ ହେବାକୁ କିଏ ନ ଚାହେଁ । ଥରେ ବିଧାୟକ ହେଲେ ମନ୍ତ୍ରୀ ହେବା ପାଇଁ କିଏ ନ ଚାହେଁ ? କିନ୍ତୁ ବିଜେଡିର ପାଓ୍ବାର କରିଡରରେ ବବି-ପାଣ୍ଡିୟାନଙ୍କ କେମେଷ୍ଟ୍ରିକୁ କେହି ହଲଚଲ୍ କରିପାରୁନାହାଁନ୍ତି । ତେଣୁ ନିଜର ସ୍ଥିତି ଜାହିର କରିବା ପାଇଁ ମଝିରେ ମଝିରେ ଏମିତି ଛିଙ୍କିବା ଦରକାର । କିଛି ଜିଲ୍ଲାର ସାଙ୍ଗଠନିକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇ ସୌମ୍ୟଙ୍କୁ ଚୁପ୍ କରିଦେବା ପାଇଁ ନବୀନଙ୍କ ମ୍ୟାନେଜମେଣ୍ଟ ଟିମ୍ ଯେଉଁ ଚାଲ୍ ଖେଳିଥିଲେ, ତାକୁ ଚେକ୍ ଦେବା ପାଇଁ ଏମିତି ଗୋଟାଏ ଛିଙ୍କ ଛିଙ୍କିଛନ୍ତି ସୌମ୍ୟ । କାରଣ ଆଗକୁ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହେବ ନା ? (ଅପୂର୍ବ କୁମାର ମହାନ୍ତି, ସଂପାଦକ/ତକ୍ଷକ ଟିଭି)

LEAVE A REPLY

Please enter your comment!
Please enter your name here