ମେଡିକାଲ ବଦଳରେ ଏଠି ଲାଗୁଛି ଲମ୍ବା ଲାଇନ୍ । ଖାଲି ଆଖପାଖ ଅଞ୍ଚଳ ନୁହେଁ । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠିକି ଆସୁଛନ୍ତି ଲୋକେ । ମଙ୍ଗଳବାର ଓ ଶନିବାର ଆସିଗଲେ ଘର ଆଗରେ ଲାଗୁଛି ଗହଳି । କାହିଁକି ନାଁ ଏଠି କୁଆଡେ ପୋଡା ଲେମ୍ବୁରସ ଭଲ କରୁଛି କିଡନୀ ରୋଗ । କଥାଟା ବିଶ୍ୱାସ ହେଉନି ନା । ଆଗ୍ୟା ହଁ । ଚିକିତ୍ସା ପାଇଁ ଏମାନେ ଆଧୁନିକ ଅସ୍ତ୍ରୋପଚାର ବଦଳରେ ନେଉଛନ୍ତି ଘରୋଇ ଉପଚାର । ତାହା ପୁଣି ମାଗଣାରେ । ଏମିତି ଏକ ଚିକିତ୍ସା ସେବା ଚାଲିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଏମଭି ୧୦୪ ଗାଁରେ । ଯେଉଁଠି ଘରୋଇ ଉପଚାର ପାଇଁ ପ୍ରତିଦିନ ଲାଗୁଛି କିଡନୀ ରୋଗୀଙ୍କ ଭିଡ । ଗାଁର ବଙ୍ଗୀୟ ମହିଳା ତରୁଲତା ସରକାର । ପେସାରେ ସେ ଜଣେ ଡାକ୍ତର ନୁହଁନ୍ତି । ହେଲେ ଘରୋଇ ଉପଚାରରେ ସେ କରୁଛନ୍ତି କିଡନୀ ରୋଗୀଙ୍କ ଚିକିତ୍ସା । ଘଟଣାଟି ଏମିତି । ତରୁଲତାଙ୍କ ବାପା ଜଣେ କିଡନୀ ରୋଗୀ । ପଇସା ଦେଇ ବାପାଙ୍କୁ ଭଲ କରିବାକୁ ଅକ୍ଷମ ତରୁଲତାଙ୍କୁ ମା କାଳୀଙ୍କ ସ୍ୱପ୍ନାଦେଶ ହୋଇଥିଲା । ଏହାପରେ ସେ ପୋଡା ଲେମ୍ବୁର ରସକୁ ମା କାଳୀଙ୍କ ପାଖରେ ଅର୍ପଣ କରି ନିଜ ବାପାଙ୍କୁ ପିଇବାକୁ ଦେଇଥିଲେ । ଏହି ଚିକିତ୍ସା ପରେ ତାଙ୍କ ବାପା ଭଲ ହେଉଥିବା ସେ କହିଛନ୍ତି । ଧିରେ ଧିରେ ତରୁ ଲତାଙ୍କ ଏହି ଚିକିତ୍ସା ସେବା ଲୋକ ଲୋଚନକୁ ଆସିଥିଲା । ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସୁଛନ୍ତି । ତାଙ୍କର ଏହି ଔଷଧୀୟ ଚିକିତ୍ସା ସେମାନଙ୍କୁ ସୁସ୍ଥ କରୁଥିବା କହିଛନ୍ତି । ଏହି ଚିକିତ୍ସା ପାଇଁ ସେ ରୋଗୀଙ୍କ ଠାରୁ କୌଣସି ପଇସା ନେଉନଥିବାବେଳେ କେବଳ ମଙ୍ଗଳବାର ଓ ଶନିବାର ସେ ଏହି ଔଷଧ ଦେଇଥାନ୍ତି । ଯେଉଁ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଳକ୍ଷ ଟଙ୍କା ସେଠି ସତରେ କଣ ସାମାନ୍ୟ ପୋଡା ଲେମ୍ବୁ ରସରେ ଭଲ ହେଉଛି କିଡନୀ ରୋଗ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here