ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଜାତୀୟ ଅନ୍ତର୍ଜାତୀୟ ମ୍ୟାଚରୁ ଚାରିବର୍ଷ ବାସନ୍ଦ ଦଣ୍ଡାଦେଶ ପରେ ମୁହଁ ଖୋଲିଛନ୍ତି ଦୂତୀ । ଦୂତୀ କହିଛନ୍ତି, ସେ ଲେଭଲ ଓ୍ବାନ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଯେଉଁ ଔଷଧ ଖାଇଥିଲେ, ସେଥିରେ ନିଷିଦ୍ଧ ସାମଗ୍ରୀ ଏସଆରଏମଏସ ଥିବା ସେ ଜାଣି ନ ଥିଲେ କି ଡାକ୍ତର ତାଙ୍କୁ କହି ନ ଥିଲେ । ସେ କେବଳ ଆରୋଗ୍ୟ ହେବା ପାଇଁ ମେଡିସିନ ଖାଇଥିଲେ । ତେଣୁ ତାଙ୍କ ଉପରେ ଲଗାଯାଇଥିବା ଦଣ୍ଡାଦେଶ ପ୍ରତ୍ୟାହାର କରିବାକୁ ସେ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର 5 ଓ 26 ତାରିଖରେ ଦୂତୀଙ୍କର ଡୋପ୍ ଟେଷ୍ଟ କରାଯାଇଥିଲା । ପ୍ରଥମ ଟେଷ୍ଟରେ ଦୂତୀଙ୍କ ନମୂନାରୁ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ବାହାରିଥିଲା । ସେହିପରି ଦ୍ବିତୀୟ ଟେଷ୍ଟରୁ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା । ଦୂତୀଙ୍କ ନମୂନାରୁ ନିଷିଦ୍ଧ ଔଷଧ ରହିଥଛିବା ଜଣାପଡିବା ପରେ ନାଡା ପକ୍ଷରୁ 2022 ଡିସେମ୍ବର 5 ତାରିଖ ପରଠାରୁ ଜିତିଥିବା ସମସ୍ତ ମେଡାଲ, ପୁରସ୍କାର ଓ ପଏଣ୍ଟକୁ ଖାରଜ କରିବା ସହ 2027 ପର୍ଯ୍ୟନ୍ତ କୌଣସି ଜାତୀୟ ଓ ଆନ୍ତର୍ଜାତୀୟ ଖେଳରେ ଭାଗ ନେଇପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି । ଦଣ୍ଡାଦେଶର 21 ଦିନ ଭିତରେ ଦୂତୀ ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ ନିକଟରେ ପୁର୍ନବିଚାର ପାଇଁ ଆବେଦନ କରିପାରିବାର ସୁଯୋଗ ରହିଛି । ତେବେ ଦୂତୀ ଦେଇଥିବା ମନ୍ତବ୍ୟ ଅନୁଯାୟୀ ସେ ଯଦି କ୍ୟାନସରରୁ ଆରୋଗ୍ୟ ହେବା ପାଇଁ ନିଷିଦ୍ଧ ସାମଗ୍ରୀ ଥିବା ମେଡିସିନ ଖାଇଥାନ୍ତି, ହୁଏତ ତାଙ୍କ ଉପରେ ଲାଗିଥିବା ଦଣ୍ଡାଦେଶ କୋହଳ ହୋଇପାରେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here