ଆସନ୍ତା ଜାନୁଆରୀ 17 ତାରିଖରେ ଉଦଘାଟନ ହେବ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ବଡ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି କ୍ୟାବିନେଟ ବୈଠକରେ ଏହାକୁ ମଂଜୁରୀ ମିଳିଛି । ଜାନୁଆରୀ 5 ତାରିଖରୁ ପ୍ରତି ଗାଁକୁ ଗାଁ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ । ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ । ଲୋକେ ଖୋଳ କରତାଳ ଧରି ସଂକୀର୍ତ୍ତନ କରିବେ । ଘରକୁ ଘର ବୁଲି ପ୍ରଚାର ରଥ ଜରିଆରେ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଇ ଶ୍ରୀମନ୍ଦିର ଅଣାଯିବ । ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ମଧ୍ୟ ବିଭିନ୍ନ ସ୍ଥାନରେ ସରକାର ବଡ ବଡ ଏଲଇଡି ଲଗାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଇବେ । ଲୋକେ ସିଧାସଳଖ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଦେଖିପାରିବେ । ଏଥିସହିତ ପ୍ରତି ପଞ୍ଚାୟତରୁ ଲୋକମାନଙ୍କୁ ପୁରୀ ଅଣାଯାଇ ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଏହି ବ୍ୟୟ ବହୁଳ ପ୍ରଚାର ପାଇଁ ପ୍ରାୟ 360 କୋଟି ଟଙ୍କା ଖର୍ଚ୍ଚ ହେବ । ଆମ ଓଡିଶା, ନବୀନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଟଙ୍କା ଖର୍ଚ୍ଚ କରାଯିବ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସହିତ 13ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ନିର୍ବାଚନ ପୂର୍ବରୁ ଏହି ଯୋଜନା ମାଧ୍ୟମରେ ସରକାର ସାରା ଓଡିଶାରେ ଗୋଟେ ବଡ ପ୍ରଚାର କରିପାରିବାକୁ ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here