2024 ନିର୍ବାଚନ, ଟାର୍ଗେଟରେ ଓଡିଶା । ଦ୍ବିମୁଖୀ ମୁକାବିଲା । ଗତ 24 ବର୍ଷ ଧରି କ୍ଷମତା ସିଂହାସନରେ ବସିଥିବା ବିଜେଡି ବନାମ ବିଜେପି । ରାଜନୀତି ପଶାପାଲିରେ କେତେବେଳେ ଦୁଇଦଳ ମିତ୍ର ତ ପୁଣି କେତେବେଳେ ସୁବିଧାବାଦୀ ମିତ୍ର, ପୁଣି କେତେବେଳେ ରାଜନୀତିକ ଶତ୍ରୁ ଭାବେ ଭୂମିକା ନିର୍ବାହ କରିଆସିଛନ୍ତି । ଏସବୁ ରାଜନୀତିକ ସମୀକରଣ ଭିତରେ ଆସନ୍ତା ନିର୍ବାଚନ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଗତ 24 ବର୍ଷ ଧରି କ୍ଷମତାରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ଓଡିଶା ଦଖଲ କରିବାକୁ ବିଜେପି ଆରମ୍ଭ କରିଛି ରଣନୀତି । ଲୋକପ୍ରିୟତାର ସବୁଠୁ ଶୀର୍ଷରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି 2024ରେ ଓଡିଶା ଦଖଲର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି । 2024 ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଜେପିର ସବୁଠୁ ବଡ ଏଜେଣ୍ଡାରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ଆସନ୍ତା ଜାନୁଆରୀ 22ରେ ଏହାର ଲୋକାର୍ପଣ ପର୍ବକୁ ଯେତେ ବ୍ୟୟ ବହୁଳ କରାଯାଇପାରିବ, ସେଥିପାଇଁ ଯୋଜନା ତିଆରି କରାଯାଇଛି । ସାରା ଦେଶରେ ଭଗବାନ ଶ୍ରୀରାମଙ୍କୁ ନେଇ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ତେବେ ମୋଦିଙ୍କ ଜୟ ଶ୍ରୀରାମ ଲହର ଭିତରେ ଗତ 24 ବର୍ଷର ସିଂହାସନ ଦୋହଲି ଯିବାର ଆଶଙ୍କା ଶାସକ ବିଜେଡି ଦଳ ଭିତରେ ଭୟ ସଞ୍ଚାର କରିଛି । ତେଣୁ ଶ୍ରୀରାମ ଲହରକୁ ରୋକିବା ପାଇଁ ବିଜେଡି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାହାରା କରିଛି । ନିର୍ବାଚନ ଯେତିକି ପାଖଉଛି, ସେତିକି ଶ୍ରୀଜଗନ୍ନାଥ ପ୍ରେମରେ ଉବୁଟୁବୁ ହେଉଛନ୍ତି ନବୀନ ସରକାର । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ବ୍ୟୟବହୁଳ ପ୍ରଚାର ପ୍ରସାର କରି ଲୋକଙ୍କ ମନରେ ନବୀନଙ୍କ ପ୍ରତି ଥିବା ଆସ୍ଥା ଅତୁଟ ରଖିବାକୁ ଯୋଜନା ଆରମ୍ଭ ହୋଇଛି । ଘରକୁ ଘର ବୁଲି ଗୁଆ, ଚାଉଳ ସଂଗ୍ରହ କରିବା, ଲୋକଙ୍କୁ ସଂକୀର୍ତ୍ତନରେ ସାମିଲ କରାଇବା, ପ୍ରତି ପଞ୍ଚାୟତରୁ ଲୋକଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପ ବୁଲାଇବା ଏବଂ ବିଶ୍ବସ୍ତରରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ପ୍ରଚାର ପ୍ରସାର କରାଇବା ପାଇଂ ବିଜେଡି ସରକାର ଯୋଜନା କରିଛନ୍ତି । ଓଡିଶାରେ ମୋଦିଙ୍କ ଶ୍ରୀରାମ ଲହରକୁ ରୋକିବାକୁ ହେଲେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ହିଁ ସବୁଠୁ ଶ୍ରେଷ୍ଠ ମାଧ୍ୟମ । ନ ହେଲେ ବିଜେପି ଆସନ୍ତା ନିର୍ବାଚନରେ ଓଡିଶା ଦଖଲ କରିନେବାର ସମ୍ଭାବନା ରହିଛି ।

ରାଜନୀତିରେ ଭଗବାନ ଶ୍ରୀରାମ ତଥା ହିନ୍ଦୁତ୍ବ ଏଜେଣ୍ଡା ପାଇଁ ବିଜେପିକୁ ସାଂପ୍ରଦାୟିକ ଦଳ ଭାବେ ଅଭିହିତ କରାଯାଏ । ଅଣ ବିଜେପି ଦଳଗୁଡିକ ସମୟ ସୁବିଧା ଦେଖି ବିଜେପି ମୁହଁରେ ସାଂପ୍ରଦାୟିକତାର ଥୋପ ଲଦି ଦେଇଥାନ୍ତି । ଏବେ ବିଜେଡି ବି ସେଇ ଏକା ନାଆରେ ଗୋଡ ଦେଇଛି । ଶ୍ରୀଜଗନ୍ନାଥ ହିଁ ଭରସା । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମଗ୍ର ବିଶ୍ବରୁ ଭକ୍ତମାନେ ଧାଇଁ ଆସୁଛନ୍ତି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲାନି । ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୂର୍ବରୁ ହୋଇଥିବା ଅନେକ ସୁପାରିଶ ଫାଇଲ ଭିତରେ ବନ୍ଧା ହୋଇ ରହିଛି । ସରକାରଙ୍କ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସତ୍ତ୍ବେ ଓଡିଶା ଭଳି ଗରିବ ତଥା ଆର୍ଥିକ ଅନଗ୍ରସର ରାଜ୍ୟର ଅନେକ ସ୍ଥାନରେ ଲୋକେ ପିଇବା ପାଣି ପାଇପାରୁନାହାଁନ୍ତି । କୋଉଠି କୋଉଠି ଛୋଟିଆ କଂକ୍ରିଟ ପୋଲଟିଏ ହୋଇପାରୁନି ବୋଲି ବର୍ଷାଦିନେ ପିଲାମାନେ ଆଣ୍ଠୁଏ ପାଣିରେ ପଶି ପାଠ ପଢିବାକୁ ଯାଆନ୍ତି । ପାହାଡି ଅଞ୍ଚଳରେ ଗମନାଗମନ ଅବ୍ୟବସ୍ଥା ଯୋଗୁ ଗାଁ ଲୋକେ ରୋଗିଣା ଲୋକକୁ ଚିକିତ୍ସା ପାଇଁ ଭାରରେ ବୋହି ଆଣିବାକୁ ପଡେ । ଏମିତି ଅନେକ ବିକଳ ଚିତ୍ର ଆମ ରାଜ୍ୟରେ ସବୁଦିନିଆ ଖବର । ତେବେ ଏସବୁ ସମସ୍ୟାକୁ ସୁଧାରିବା ବଦଳରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ବ୍ୟୟ ବହୁଳ ପ୍ରଚାର କଣ ପାଇଁ ? ଅଯୋଧ୍ୟାରେ ବ୍ୟୟ ବହୁଳ ସୁଦୃଶ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଏବଂ ମନ୍ଦିର ନିର୍ମାଣ ପରେ ତାର ବାହାବା ନେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ ସେମିତି କିଛି ବଳିଷ୍ଠ ଯୁକ୍ତି ଦୃଶ୍ୟମାନ ହେଉନାହିଁ । ଧାର୍ମିକ ପୀଠର ବିକାଶ, ସଂସ୍କାର ତଥା ଶୃଙ୍ଖଳିତ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ବ । ମାତ୍ର ବ୍ୟୟ ବହୁଳ ପ୍ରଚାର ପ୍ରସାର କରି ତାକୁ ଭୋଟ୍ ବ୍ୟାଙ୍କରେ ରୂପାନ୍ତର କରିବା ପ୍ରକ୍ରିୟାରେ ରାଜନୀତିର ଗନ୍ଧ ସୁସ୍ପଷ୍ଟ । ( ଆଲେଖ୍ୟ : ଅପୂର୍ବ କୁମାର ମହାନ୍ତି, ସଂପାଦକ, ତକ୍ଷକଟିଭି ଡଟ୍ କମ୍ )

LEAVE A REPLY

Please enter your comment!
Please enter your name here