ଶର୍ମିଷ୍ଠା ରାଉତ ଗିରଫ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳେ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିବ । ପୂର୍ବରୁ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସ 6ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅଛନ୍ତି । ନୟାଗଡର କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରିବା ପରେ ଭୁବନେଶ୍ବର ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା ଏବଂ ହତ୍ୟା କରିବା ପରେ ନୟାଗଡରେ ମୃତଦେହକୁ ପୋତି ଦିଆଯାଇଥିଲା ।

ଶର୍ମିଷ୍ଠା ରାଉତ ସଂପୂର୍ଣ୍ଣ ନାମକ ଏକ ଓ୍ବେବ ଚ୍ୟାନେଲ ଚଳାଉଥିବା ବେଳେ ଭୁବନେଶ୍ବରରେ ତାଙ୍କର ଏକ ଜରାଶ୍ରମ ଦୟାଲ ଆଶ୍ରମ ରହିଛି । ମାନସ ସ୍ବାଇଁ ତାଙ୍କ ପାଖରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ମିଳିଥିବା ସୁରାକ୍ ଅନୁଯାୟୀ, ମାନସଙ୍କ ପାଖରେ ଏକ ଚିପ୍ ରହିଥିଲା ଏବଂ ଚିପ୍ ପାଇଁ ମାନସଙ୍କୁ ସେମାନେ ହତ୍ୟା କରିଥିଲେ । ମାନସ ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା । ଭୁବନେଶ୍ବର ସ୍ଥିତ ଦୟାଲ ଆଶ୍ରମରେ ମାନସଙ୍କୁ ମାଡ ମରାଯିବା ସହ ହତ୍ୟା କରାଯାଇଥିଲା । ମାନସକୁ ମାଡ ମରାଯିବା ଓ ହତ୍ୟା କରାଯିବା ବେଳେ ନିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ମାନସଙ୍କୁ ହତ୍ୟା କରାଯିବା ପରେ ପୋଲିସ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା କରିଥିଲେ ହେଁ ଛାଡିଦେଇଥିଲା । ପରେ ଶର୍ମିଷ୍ଠା ଫେରାର ହୋଇଯାଇଥିଲେ । ମାତ୍ର ମାମଲା ସହ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ସଂପୃକ୍ତି ନେଇ ମାନସଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଗତକାଲି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ସହ କେୟାରଟେକରକୁ ଜେରା କରିଥିଲା । ଶର୍ମିଷ୍ଠାଙ୍କୁ କୋର୍ଟଚାଲାଣ କରିବା ପରେ କ୍ରାଇମବ୍ରାଞ୍ଚ ଦଶଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ।

LEAVE A REPLY

Please enter your comment!
Please enter your name here