ମହାପ୍ରଭୁ ଶ୍ରୀଜଗନ୍ନାଥ କେଉଁ ଦଳର ନେତା କି ? ସେ କଣ ନିର୍ବାଚନ ଲଢୁଛନ୍ତି ? ନା କାହାକୁ କଣ କହୁଛନ୍ତି ? ନା ସେ ଭୋଟ୍ ଦେବେ ? ସବୁ କଥାରେ ତାଙ୍କୁ କାହିଁକି ଭିଡ ଭିତରକୁ ଟାଣୁଛ ? ସାଢେ ଚାରିକୋଟି ଓଡିଆଙ୍କ ଠାକୁର ସେ । ଯିଏ ଯାହା ପାରିଲା, ତାଙ୍କୁ ନେଇ ଇଆଡୁ ସିଆଡୁ କହୁଛ କଣ ପାଇଁ ? ନିର୍ବାଚନ ନିଶା ଏମିତି ଚଢି ଯାଇଛି ଯେ ତମ ଟଙ୍ଗ ସ୍ଲିପ କରିଯାଉଛି । ଯେଉଁଠି ନିର୍ବାଚନ ଲଢିବା କଥା, ସେଠି ଲଢ । ଶ୍ରୀମନ୍ଦିର ଭିତରକୁ ପଶିଯାଉଛ କଣ ପାଇଁ ? ଲୋକମତ ପାଇଲେ ନିର୍ବାଚିତ ହେବ । କାମ କରିଥିଲେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ହାସଲ କରିପାରିବ । ଜଗନ୍ନାଥ କଣ କରିବେ । ଆଜି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର କହିଦେଲେ ମୋଦୀଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ । ଆରେ ନେତାଙ୍କ ସ୍ତୁତିଗାନ କରିବାରେ ଅସୁବିଧା କିଛି ନାହିଁ । ଲୋକେ ସବୁ ଜାଣନ୍ତି । କିନ୍ତୁ ଏମିତି ସ୍ତୁତି ଗାନ କରିବ କାହିଁକି, ପୁଣି କ୍ଷମା ମାଗିବ କାହିଁକି ?

ଆମେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଭିତରେ ନିର୍ବାଚନ ଲଢିବା । ଲୋକଙ୍କ ସମସ୍ୟାର ସମାଧାନ କେମିତି ହେବ, ତା ପାଇଁ ରାସ୍ତା ବାହାର କରିବା କଥା । ଏଠି କିନ୍ତୁ କେହି କୁଳ କିନାରା ପାଉନାହାଁନ୍ତି । ସବୁ କଥାରେ ଜଗନ୍ନାଥଙ୍କୁ ଟାଣି ରାଜନୀତି କରୁଛନ୍ତି । ଇଏ କହୁଛି, ଜଗନ୍ନାଥ ସବୁ ଦେଖୁଛନ୍ତି, ସିଏ ବି ସେଇୟା କହୁଛି । ବିଜେପି ବାଲାଏ କହୁଛନ୍ତି, ମୋଦୀ ଚାହିଁଲେ ବୋଲି କୋଭିଡ ସମୟରେ ରଥଯାତ୍ରା ହେଲା । ଏବେ ଭୋଟ ବେଳରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କଥା ମନେ ପଡୁଛି । ସେପଟେ ବିଜେଡି ବାଲାଏ ମଠ ମନ୍ଦିର ଭାଙ୍ଗି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ କରି ବାହାବା ନେବାରେ ଲାଗିଛନ୍ତି । ନେତା ମନ୍ତ୍ରୀମାନେ ଭାବୁଛନ୍ତି, ଜଗନ୍ନାଥଙ୍କ ନାଁ ନେଲେ ଲୋକଙ୍କ ମନକୁ ଛୁଇଁବ । ଭୋଟ ସେମାନଙ୍କ ପଟକୁ ଯିବ । ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଗଲେ ନିର୍ବାଚନ ବୈତରଣୀ କେମିତି ସହଜରେ ପାର ହୋଇଯିବେ, ସେଇ ଚିନ୍ତାରେ ସବୁ ଦଳର ନେତାମାନେ ବଡଦାଣ୍ଡରେ ମୁଣ୍ଡ ବାଡଉଛନ୍ତି । ନିଜକୁ ଶ୍ରୀଜଗନ୍ନାଥଙ୍କ ବଡ ଭକ୍ତ ବୋଲି ଡେଙ୍ଗୁରା ପିଟୁଛନ୍ତି । ଜଗନ୍ନାଥ କୋଉ ଦଳର ନୁହଁନ୍ତି । ସେ ଦାସିଆ ବାଉରୀର, ବନ୍ଧୁ ମହାନ୍ତିର । ବରଂ ଏ ନିର୍ବାଚନ ସମୟରେ ଶ୍ରୀମନ୍ଦିର ଭିତରକୁ ସବୁ ଦଳର ନେତାଙ୍କ ଯିବା ଉପରେ କଟକଣା ଲାଗିବା କଥା । ନେତା ମନ୍ତ୍ରୀଙ୍କ ପାଇଁ ଜଗନ୍ନାଥଙ୍କ ଟେନସନ ବଢୁଛି, ଅସଲ ଭକ୍ତମାନେ ବଡଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଖରାରେ ସିଝୁଛନ୍ତି । କି ପାପ କରିଛନ୍ତି ଜଗନ୍ନାଥ, ପଲ ପଲ ନେତା ତାଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେଉନାହାଁନ୍ତି ।

LEAVE A REPLY

Please enter your comment!
Please enter your name here