ଭୁବନେଶ୍ବର- ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରାକଲୋନୀ ସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରାବନୀ ମୁଖାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ଲିଙ୍ଗିପୁର ସରପଞ୍ଚ କ୍ଷିରୋଦ କୁମାର ପ୍ରଧାନ ଏବଂ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଇଣ୍ଡିଆ ଫାଉଣ୍ଡେସନ ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡା ସ୍ଥାନୀୟ ଅଞ୍ଚଳରେ କୁନି କୁନି ଶିଶୁମାନଙ୍କ ଶିକ୍ଷା ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲର ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ଛୋଟ ପିଲାମାନଙ୍କ ପାଇଁ ଏକ ଭଲ ପରିବେଶ ତିଆରି କରିବା ଏବଂ କୌତୁକ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ଦିଗରେ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଭିଭାକମାନଙ୍କ ପାଇଁ ଏହା ଗ୍ରହଣୀୟ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ଅବସରରେ କୁନି କୁନି ଶିଶୁମାନଙ୍କ ପାଇଁ ଉପଯୁକ୍ତ ପରିବେଶର ଆବଶ୍ୟକ ରହିଛି ବୋଲି କହିଥିଲେ । ପିଲାମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ, କୌତୁକ କ୍ରୀଡା ଏବଂ ଅଭିଭାକମାନଙ୍କ ମଧ୍ୟରେ ହୋଇଥିବା ମ୍ୟୁଜିକ ଚେୟାର, ବଲ୍ ଥ୍ରୋ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଏଥିସହିତ ଆନ୍ତଃବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।
ବାର୍ଷିକଉତ୍ସବରେ ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କ ଦ୍ବାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି ଛାତ୍ରଛାତ୍ରୀଙ୍କ ମାଆମାନେ ଫେସନ ସୋ ପ୍ରଦର୍ଶନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here