ଯେତେବେଳେ ବାତ୍ୟା ଅମ୍ଫାନ ଉଗ୍ର ହୋଇ ଆତଙ୍କ ଚଳାଇଥିଲା ଠିକ୍ ସେତିକିବେଳେ ଅସହ୍ୟ ପ୍ରସବ ବେଦନାରେ ଛଟପଟ ହେଉଥିଲେ ଜାନକୀ । ପରିବାର ଲୋକଙ୍କ ପାଖରେ ବାଟ କିଛି ନଥିଲା । ଏ ଝଡ ତୋଫାନ ଆଉ ବର୍ଷାରେ କେମିତି ବା ପଦାକୁ ବାହାରିବେ । ଉପାୟ ନପାଇ ହସପିଟାଲ ନେବା ପାଇଁ ପ୍ରଥମେ ୧୦୨ ଓ ୧୦୮କୁ ଫୋନ କରିଥିଲେ । ହେଲେ ଫଳ କିଛି ମିଳି ନଥିଲା । ରାସ୍ତାରେ ଗଛ ଭାଙ୍ଗି ପଡିଥିବା ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସିବା ସମ୍ଭବ ହୋଇପାରି ନଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ ଜାନକୀଙ୍କ ପରିବାର ଲୋକେ ଖବର ଦେଲେ ଦମକଳ ବାହିନୀକୁ । ଖବର ପାଇ ଦମକଳ ବାହିନୀ ରାସ୍ତାରେ ପଡିଥିବା ଗଛ କାଟିବା ଆରମ୍ଭ କରିଦେଇଥିଲେ । ଖାଲି ସେତିକି ନୁହେଁ, ଅମ୍ଫାନର ମୁକାବିଲା କରିବାକୁ ଥିବା ଏହି ଯୋଦ୍ଧାମାନେ ମହାକାଳପଡା ବ୍ଲକର ଜଅଁରା ଗାଁରୁ ଜାନକୀଙ୍କୁ ଆଣି ହସପିଟାଲ ମୁହାଁ ହୋଇଥିଲେ । ମାତ୍ର ହସପିଟାଲରେ ପହଞ୍ଚିବା ପୂର୍ବରୁ ଦମକଳ ଗାଡି ଭିତରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଜାନକୀ । ବାତ୍ୟା ସମୟରେ ଆମ୍ବୁଲାନ୍ସର ସେବା ଯୋଗାଇ ଦେଇଥିବା ଦମକଳ ବାହିନୀର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଣ୍ଡବ ରଚି ବାତ୍ୟା ଅମ୍ଫାନ ସିନା ଚାଲିଗଲା, ହେଲେ ତାର ଦାଉ ବେଳରେ ଜନ୍ମ ନେଇଥିବା ଏହି ଶିଶୁକନ୍ୟା ସବୁଦିନ ପାଇଁ ସ୍ମୃତି ହୋଇ ରହି ଯିବ ।

LEAVE A REPLY

Please enter your comment!
Please enter your name here