ବଲାଙ୍ଗୀର ମଦଭାଟିରୁ ପୁଳା ପୁଳା ଟଙ୍କା ଜବତ ହେବା ପରେ ତେଜିଛି ରାଜନୀତି । ରାଜନୀତିକ ଦଳ ପରସ୍ପର ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଜବତ ଟଙ୍କା ବିଜେଡି, ନା ବିଜେପି, ନା କଂଗ୍ରେସ, କାହାର ଏହାକୁ ନେଇ ଆମ୍ଭ ହୋଇଛି ଠେଲାପେଲା ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଳା ପୁଳା କଳା ଟଙ୍କାକୁ ନେଇ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ସରକାରଙ୍କ ଜାଣତରେ କୋଟି କୋଟି କଳା ଟଙ୍କା ଠୁଳ କରାଯାଉଥିଲା ବୋଲି ଏବଂ ବିଜେଡି ମନ୍ତ୍ରୀ, ବିଧାୟକ, ସାଂସଦ ସଂପୃକ୍ତ ବୋଲି ସେ ଆରୋପ ଲଗାଇଛନ୍ତି । ଏତେଦିନ ଧରି ସରକାର କଣ ଶୋଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଆସନ୍ତା ନିର୍ବାଚନ ପାଇଁ କଳା ଟଙ୍କା ଠୁଳ କରାଯାଇଥିଲା ବୋଲି ସେ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ସତସାହସ ଅଛି, ତେବେ କଳାଟଙ୍କା ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ମନମୋହନ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ଆରୋପକୁ ଖଣ୍ଡନ କରି ବିଜେଡି କହିଛି, ଆୟକର ଚଢାଉକୁ ଆମେ ସ୍ବାଗତ କରୁଛୁ । କଳାଟଙ୍କା କାରବାରରେ ବିଜେପି ଓ କଂଗ୍ରେସ ସଂପୃକ୍ତ ବୋଲି ବିଜେଡି କହିଛି । ପ୍ରଦେଶ କଂଗ୍ରେସ ଏହି ଘଟଣାର ଏସଆଇଟି ତଦନ୍ତ ଦାବି କରିଛି ।
ଦୀର୍ଘବର୍ଷ ଧରି ଏତେ ପରିମାଣର କଳା ଟଙ୍କା ଠୁଳ କରି ରଖାଯିବା ସମସ୍ତଙ୍କୁ ଚକିତ କରିଛି । ଏପର୍ଯ୍ୟନ୍ତ ଆୟକର ବିଭାଗ ଅଧିକାରୀ ଏ ନେଇ ମୁହଁଖୋଲି ନ ଥିଲେ ହେଁ ଜବତ ଟଙ୍କାର ପରିମାଣ ଶହେ କୋଟି ଟପିଯିବ ବୋଲି ଆଶା କରାଯାଉଛି । କିଏ କାହା ପାଇଁ ଟଙ୍କା ବସ୍ତା ବାନ୍ଧି ରଖିଥିଲା, ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ଜବତ ହୋଇଥିବା ଏକ ଟଙ୍କା ଭର୍ତ୍ତି ପଲିଥିନରେ ଇନିସପେକ୍ଟର ତିଓ୍ବାରୀ ଲେଖା ଯାଇଥିବା ସୂଚନା ମିଳିଛି । ଅର୍ଥାତ କଳା ଟଙ୍କା କାରବାର କରାଯିବା ଓ ଗଚ୍ଛିତ ରଖାଯିବା ପଛରେ କିଛି ପୋଲିସ ଅଧିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here