ଶେଷ ହେଲା ପାଞ୍ଚଦିନ ଧରି ଚାଲିଥିବା ଗଣତି । ପଚାଶରୁ ଅଧିକ ବ୍ୟାଙ୍କ କର୍ମଚାରୀ, 25 ଟି ଟଙ୍କା ଗଣା ମେସିନ । ଏତେ ଟଙ୍କା ଯେ, ଟଙ୍କା ଗଣି ଗଣି କର୍ମଚାରୀ ହାଲିଆ, ମେସିନ ବି । ଟଙ୍କା ଗଣି ଗଣି ମେସିନ ବି ଖରାପ ହୋଇଗଲା । ଶେଷରେ ରବିବାର ସଂଧ୍ୟାରେ ଶେଷ ହେଲା ଟହ୍କା ଗଣତି କାର୍ଯ୍ୟ । ହିସାବ ଅନୁଯାୟୀ ମୋଟ 305 କୋଟି ଟଙ୍କା ଜବତ ହୋଇଛି ବଲାଙ୍ଗୀର ସୁଦପଡା ମଦଭାଟିରୁ । ବଲାଙ୍ଗୀର ଷ୍ଟେଟବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଭଗତ ବେହେରା ଏହି ସୂଚନା ଦେଇଛନ୍ତି ।
ବଲାଙ୍ଗୀର ସୁଦପଡା ମଦଭାଟିରୁ ଏତେ ଟଙ୍କା ମିଳିବା ସମସ୍ତଙ୍କୁ ତାଜୁବ କରିଛି । ବିଡା ବନ୍ଧା ହୋଇ ରହିଥିଲା ବସ୍ତା ବସ୍ତା ଟଙ୍କା । ପ୍ରଥମେ 20 ପେଟି ଜବତ କରିଥିଲା ଆୟକର ବିଭାଗ । ତା ପରେ 156 ପେଟି । ଯେତେ ଖୋଜୁଥିଲେ, ସେତେ ବାହାରୁଥିଲା । ବସ୍ତା ବସ୍ତା ଟଙ୍କା । କେବଳ ବଲାଙ୍ଗୀର ସୁଦପଡା ମଦଭାଟିରୁ 305 କୋଟି ଟଙ୍କା ଜବତ ହୋଇଥିବା ବେଳେ ଟିଟିଲାଗଡ ଓ ସମ୍ବଲପୁର ଧନୁପାଲିରୁ ଜବତ ହୋଇଥିବା ମୋଟ ଟଙ୍କାର ପରିମାଣ ହେଉଛି 348 କୋଟି । ଆୟକର ବିଭାଗ ଅଧିକାରୀ ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟିସାହୁକୁ ପଚରାଉଚରା ଜାରି ରଖିଛି । ବିଭାଗୀୟ ଅଧିକାରୀ ଖୋଳତାଡ ଜାରି ରଖିଥିବା ବେଳେ ଏତେ ଟଙ୍କା କୋଉଠୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିରୋଧୀ ଅଭିଯୋଗ କରିଛନ୍ତି, ଏତେ ପରିମାଣର ଟଙ୍କା ଠୁଳ ହେବା ପଛରେ ଶାସକ ଦଳର ହାତ ରହିଛି । ଶାସକ ଦଳର ରାଜନେତା, ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ଏତେ ପରିମାଣର ଟଙ୍କା ଠୁଳ ହୋଇଥିବା କୁହାଯାଉଛି । ବୌଦ୍ଧ ଡିଷ୍ଟିଲେରୀ ଫ୍ରାଇଭେଟ ଲିମିଟେଡ ନାଁରେ ଚାଲିଥିବା ମଦ କାରବାରର ଲିଙ୍କ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ଲମ୍ବିଥିବା ଜଣାପଡିଛି । ସବୁଠୁ ବଡ ମଦ ଘୋଟାଲାରେ ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତି ଥିବା ବିଜେପି କହିଛି ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ସାହୁ ବ୍ରଦର୍ସଙ୍କୁ ସେ ଦୀର୍ଘବର୍ଷ ଧରି ଜାଣିଛନ୍ତି ଏବଂ ସେମାନେ ତିନିପୁରୁଷ ଧରି ଧନୀ ବ୍ୟବସାୟୀ ଭାବେ ପରିଚିତ । ସେମାନେ ସବୁ ରାଜନୈତିକ ଦଳ ଓ ଅନୁଷ୍ଠାନକୁ ଟଙ୍କା ଦିଅନ୍ତି । ତେବେ ଏତେ ଟଙ୍କା ଠୁଳ ହେଲା କେମିତି, ତାହା ଏବେ ବଡ ପ୍ରଶ୍ନ ।
ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି, ରାଜ୍ୟରେ ମଦବେପାର ଭଲ ଚାଲିଛି । ମଦବେପାରୀ ଏତେ ଲାଭ କରୁଛନ୍ତି ଯେ ଟଙ୍କାକୁ ବସ୍ତାରେ ବାନ୍ଧି ରଖୁଛନ୍ତି । ଯଦି ବଲାଙ୍ଗୀରରେ ଗୋଟିଏ ମଦଭାଟିରୁ ଏତେ ପରିମାଣର ଟଙ୍କା ମିଳୁଛି, ଅନ୍ୟ ମଦଭାଟି ଗୁଡିକରେ କେତେ ଟଙ୍କା ଗଚ୍ଛିତ ଥିବ, ତାହା ଅନୁମେୟ । ମଦ ବେପାରୀଙ୍କ ସହ ନେତା ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନ ଥିଲେ ଜଣେ ବ୍ୟବସାୟୀ ଏତେ ପରିମାଣର ଟଙ୍କା ଠୁଳ କରିବାକୁ ସାହସ କରନ୍ତା କେମିତି ?

LEAVE A REPLY

Please enter your comment!
Please enter your name here