ଟିକଟ ନ ପାଇବା ପରେ ବିଜେପି ଛାଡି ଖୋର୍ଦ୍ଧା ବିଧାନସଭା ଆସନରେ ସ୍ବାଧୀନ ଭାବେ ଲଢିବା ପାଇଁ ସଜବାଜ ହେଉଥିବା କାଳୁ ଖଣ୍ଡାୟତରାୟ ସାଂସଦ ଅପରାଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଟିକଟ ପାଇଁ ତାଙ୍କୁ ଅପରାଜିତା ଦୁଇକୋଟି ଟଙ୍କା ମାଗିଥିଲେ ଏବଂ ସେ ଦେବାକୁ ମନା କରିବାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରାଗଲା ବୋଲି କାଳୁ କହିଛନ୍ତି । ମଳିପଡାରେ ଆୟୋଜିତ ବିଶାଳ ସ୍ବାଭିମାନ ସମାବେଶରେ କାଳୁ ଖଣ୍ଡାୟତରାୟ ତାଙ୍କ ସମର୍ଥକଙ୍କ ସହ ଖୋର୍ଦ୍ଧା ମାଟିରୁ ସାଂସଦ ଅପରାଜିତାଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି । ସେ କହିଛନ୍ତି, ସାଂସଦ ଅପରାଜିତା ଜଣେ ମିଛେଇ ମହିଳା । ମିଛ କହି ସାଧାରଣ ଲୋକ, ଦଳୀୟ କର୍ମୀ ଓ ନେତାଙ୍କୁ ଭୁତେଇବାରେ ସେ ଦକ୍ଷ । ଛୋଟ ଛୋଟ କାମ କରାଇଦେବା ପାଇଁ ବି ସେ ଲାଞ୍ଚ ନିଅନ୍ତି । ନେତା ହେବା ପାଇଁ ତାଙ୍କର କୌଣସି ଯୋଗ୍ୟତା ନାହିଁ । 2019ରେ ସେ ତାଙ୍କ ପାଇଁ କାମ କରି ଜିତାଇଥିଲେ ହେଁ ଚଳିତ ନିର୍ବାଚନରେ ସେ ତାଙ୍କ ସହ ଏବଂ ଖୋର୍ଦ୍ଧାବାସୀଙ୍କ ସହ ବେଇମାନୀ କରିଛନ୍ତି । ଏଥର ନିର୍ବାଚନରେ ଖୋର୍ଦ୍ଧା ଲୋକ ତାଙ୍କୁ ଉଚିତ ଜବାବ ଦେବେ । 2019ରେ କାଳୁ ଖଣ୍ଡାୟତରାୟ ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ହୋଇ 75 ହଜାର ଭୋଟ ପାଇଥିଲେ ହେଁ ଅଳ୍ପ ଭୋଟରେ ହାରିଯାଇଥିଲେ । ଖୋର୍ଦ୍ଧାରେ ବିଜେପିର ସଂଗଠନ ସୁଦୃଢ କରିବାରେ ସେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ ହେଁ ଏଥର ଦଳ ସାଂସଦ ଅପରାଜିତାଙ୍କ ପରାମର୍ଶରେ ବିଜେଡିରୁ ଆସିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରା୍ଥୀ କରିଛି । ଏହା ପ୍ରତିବାଦରେ କାଳୁ ଖଣ୍ଡାୟତରାୟ ମଳିପଡାରେ ସ୍ବାଭିମାନ ସମାବେଶ ନାଁରେ ଏକ ବିଶାଳ ସାଧାରଣସଭା କରି ସ୍ବାଧୀନ ଭାବେ ଲଢିବା ପାଇଁ ଲୋକଙ୍କ ମତାମତ ଲୋଡିଥିଲେ । ସମାବେଶରେ ସାଂସଦ ଅପରାଜିତାଙ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖୋର୍ଦ୍ଦା ମାଟିର ସ୍ବାଭିମାନ ରକ୍ଷା ପାଇଁ ଅଣଓଡିଆ ପ୍ରାର୍ଥୀଙ୍କୁ ହଟାଇବା ପାଇଁ ସ୍ବାଭିମାନ ମଞ୍ଚରୁ ନେତାମାନେ ଆହ୍ବାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here