ବିଗୁଡୁଛି ପାଣିପାଗ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଛି ମଣିଷ, ଜୀବଜଗତ । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ପ୍ରକୃତି । ଆଜି ଓଡିଶାର ତିନି ସହରର ତାପମାତ୍ରା ପୃଥିବୀର ପ୍ରଥମ ଦଶଟି ତତଲା ସହର ଭିତରେ ସ୍ଥାନ ପାଇଛି । ଆଜି ବାରିପଦାର ସର୍ବୋଚ୍ଚ ତାପମାତ୍ରା ବିଶ୍ବର ଦ୍ବିତୀୟ ତତଲା ସହରରେ ପରିଣତ କରିଛି । ଆଜି ରେକର୍ଡ କରାଯାଇଥିବା ସର୍ବୋଚ୍ଚ ତାପମାତ୍ରା ତାଲିକାର ଶୀର୍ଷରେ ଓମାନର ଜୋବା ସହର ରହିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା 49.2 ଡିଗ୍ରୀ ରେକର୍ଡ କରାଯାଇଛି । ଦ୍ବିତୀୟ ତତଲା ସହରର ମାନ୍ୟତା ପାଇଛି ବାରିପଦା । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା 46.4 ଡିଗ୍ରୀ ରେକର୍ଡ କରାଯାଇଛି । ବାରିପଦା ତଳକୁ ରହିଛି ବାଲେଶ୍ବର । ଆଜି ବାଲେଶ୍ବରର ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବର ବିଶ୍ବର ଦଶଟି ତତଲା ସହର ତାଲିକାର ଦଶମ ସ୍ଥାନରେ ରହିଛି । ଆଜି ଭୁବନେଶ୍ବରର ତାପମାତ୍ରା 45. 4 ଡିଗ୍ରୀ ରେକର୍ଡ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି ଆଜି ରେକର୍ଡ ହୋଇଥିବା ବିଶ୍ବର ଦଶଟି ତତଲା ସହର ଭିତରେ କେବଳ ଭାରତର ପାଞ୍ଚଟି ସହର ରହିଛି । ଓଡିଶାର ତିନୋଟି ସହର ଏବଂ ପଶ୍ଚିମବଙ୍ଗର ମେଦିନାପୁର ଏବଂ ଝାଡଖଣ୍ଡର ଜାମସେଦପୁର । ସକାଳୁ ସକାଳୁ ତାପମାତ୍ରା ଏମିତି ଉପରକୁ ଉଠୁଛି ଯେ, ସକାଳ ଦଶଟା ବେଳକୁ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନି । ବାଲେଶ୍ବର ଓ ବାରିପଦାରେ ଅଗ୍ନିବର୍ଷା ହେଉଛି । ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ତାତି ଜାରି ରହିବାର ଆଶଙ୍କା ଥିବାରୁ କଟକକୁ ରେଡ୍ ଓ୍ବାଣିଂ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here