ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଆଉ କିଛି ମାସ ପରେ 22 ବର୍ଷ ପୁରା କରିବ । ଆସନ୍ତା 26 ତାରିଖରେ ବିଜେଡି ପ୍ରତିଷ୍ଠା ହେବାର 25 ବର୍ଷ ପୁରା କରିବ । ମାତ୍ର ଦଳ ଓ ସରକାରର ବୟସ ଯେତିକି ବଢିବାରେ ଲାଗିଛି, ସେତିକି ଡର ବଢିବାରେ ଲାଗିଛି । କୋଉଠି ନା କୋଉଠି ଦଳ ପରିଚାଳନା କରୁଥିବା କୋଟେରୀ ଛାନିଆ ହେଉଛନ୍ତି । ବିଶେଷ କରି ଧାମନଗରରେ ଉପନିର୍ବାଚନ ହାରିବା ପରେ ଏ ଡର ଅଧିକ ଡରାଉଛି । ଏ କଥା ସତ, ଯାହାର କିଛି ନାହିଁ, ତାର କିଛି ହରାଇବାର ଡର ନାହିଁ । ମାତ୍ର ଯିଏ ସିଂହାସନରେ ବସିବାର ମଜା ନେଉଛି, ତା ମନରେ ସିଂହାସନ ଚାଲିଯିବାର ଡର ରହିବା ସ୍ବାଭାବିକ । କ୍ଷମତା ଅବା ଲୋକମତ ସବୁବେଳେ କାହା ସପକ୍ଷରେ ସବୁଦିନ ରହି ନ ଥାଏ । ସମୟ ସବୁ ବଦଳାଇ ଦେଇଥାଏ । ଏତେକଥା ଲେଖିବା ପଛରେ ଯେଉଁ କାରଣଟି ରହିଛି, ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଜିର ବାଲେଶ୍ବର କାର୍ଯ୍ୟକ୍ରମରେ ଅଜବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଅନେକଗୁଡିଏ ବିକାଶମୂଳକ ପ୍ରକଶ୍ପର ଉଦଘାଟନ କରିବାକୁ ବାଲେଶ୍ବର ଯାଉଥିବା ବେଳେ ଆୟୋଜିତ ସଭାରେ ଯୋଗ ଦେବାକୁ ଯାଉଥିବା ଲୋକଙ୍କ କଳା ପୋଷାକ ପରିଧାନ ଉପରେ କଡା କଟକଣା ଜାରି କରାଯାଇଥିଲା । କଳା ପୋଷାକ, କଳା କୋର୍ଟ, କଳା ହେଲମେଟ୍, ମହିଳାମାନେ ଘୋଡେଇ ହୋଇଥିବା କଳା ସାଲ୍ କାଢିଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନବୀନଙ୍କ ସଭାକୁ ଆସୁଥିବା ଲୋକମାନେ ପୋଲିସର ନିର୍ଦ୍ଦେଶ ମୁତାବକ ସେମାନେ ପରିଧାନ କରିଥିବା କଳା ପୋଷାକ କାଢି ଦେଇ ଯିବାକୁ ବାଧ୍ୟ ହୋଇଥିଲେ ।

ପ୍ରଶ୍ନ ଉଠୁଛି, ରାଜ୍ୟରେ ଲୋକପ୍ରିୟତାର ଶିଖର ଛୁଇଁଥିବା ସୁପର ହିରୋଙ୍କୁ ଏତେ ଡର କାହିଁକି ?

ରାଜନୈତିକ ନେତାଙ୍କ ସଭାରେ ବିରୋଧୀ କଳାପତାକା ଦେଖାଇବା ଏକ ସ୍ବାଭାବିକ ରାଜନୈତିକ ବ୍ୟବହାର । ଏଭଳି ଘଟଣାକୁ କିଭଳି ପ୍ରତିହତ କରାଯିବ, ତାର ଦାୟିତ୍ବ ପୋଲିସ ବିଭାଗର । ମାତ୍ର ସଭାରେ ଯୋଗ ଦେଉଥିବା ଦଳୀୟ ସମର୍ଥକ ତଥା ନବୀନଙ୍କ ପ୍ରଶଂସକଙ୍କୁ ସଭାସ୍ଥଳିରେ ଏଭଳି ଅନୁଚିତ ବ୍ୟବହରା କେତେଦୂର ଗ୍ରହଣୀୟ ?

LEAVE A REPLY

Please enter your comment!
Please enter your name here