ବେଲଗାମ ତେଲ ଦର । କିଛିଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏମିତି ବଢୁଛି ଯେ, ସବୁ ରେକର୍ଡ ଭାଙ୍ଗି ସାରିଲାଣି । ପେଟ୍ରୋଲ ଲିଟର ପିଚ୍ଛା ଶହେ ଟଙ୍କା ଛୁଇଁବାକୁ ଆଉ ବେଶୀ ଦିନ ବି ଲାଗିବନି । କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ଏଭଳି ଦରବୃଦ୍ଧି ଘଟୁଛି ବୋଲି କେନ୍ଦ୍ର ସରକାର ସଫେଇ ଦେଇ ଚୁପ୍ ହୋଇ ବସିପଡିଥିବା ବେଳେ ବିରୋଧୀ ତେଲ ଦରକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହାଠୁ ଆଉ ଭଲ ପ୍ରସଙ୍ଗ ବି କିଛି ମିଳିବନି । ତେବେ ପ୍ରସଙ୍ଗ ଯାହା ହେଉନା କାହିଁକି, ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ବୋଝ ବଢି ଚାଲିଛି ।
ଗତବର୍ଷ ଡିସେମ୍ବର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଏହି ଦର ବୃଦ୍ଧିରେ ବ୍ରେକ୍ ଲଗାଇବାରେ ସରକାର ବିଫଳ ହୋଇଛନ୍ତି । ଜାନୁଆରୀରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୬୭ ଟଙ୍କା ୯୦ ପଇସା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୭୧ ଟଙ୍କା ୨୮ ପଇସା ଥିଲା । ପରେ ମେ ମାସରେ ଡିଜେଲ ଦର ୭୪ ଟଙ୍କା ୩ ପଇସାରେ ପହଁଞ୍ଚିଥିଲା । ପେଟ୍ରୋଲ ଦର ମଧ୍ୟ ୭୬ଟଙ୍କା ୯୨ ପଇସାକୁ ବୃଦ୍ଧି ପାଇଥିଲା । ଜୁଲାଇରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ୩୮ ପଇସା ରହିଥିଲା । ଗତ ୧୫ ଦିନ ମଧ୍ୟରେ ତୈଳ ଦରରେ ଯେମିତି ନିଆଁ ଲାଗିଯାଇଛି । ଅଗଷ୍ଟ ୨୭ ତାରିଖରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୮୪ ପଇସା ଥିବାବେଳେ ୨୮ ତାରିଖରେ ଏହା ୭୬.୯୮କୁ ବୃଦ୍ଧି ପାଇଥିଲା । ୨୯ ତାରିଖରେ ଏହା ୭୭.୧୧, ୩୦ ତାରିଖରେ ୭୭.୨୩, ୩୧ ତାରିଖରେ ୭୭ ଟଙ୍କା ୪୫ ପଇସାରେ ପହଁଞ୍ଚିଥିଲା । ସେପ୍ଟେମ୍ବର ୩ ତାରିଖରେ ପୁଣି ଏହା ୭୮.୧୧ ଓ ୪ ତାରିଖରେ ୭୮ଟଙ୍କା ୨୭ପଇସାରେ ପହଁଞ୍ଚିଥିଲା ।

 

LEAVE A REPLY

Please enter your comment!
Please enter your name here