ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ବସାଇ ମୋଟା ଅଙ୍କର ରାଜସ୍ୱ ଆଦାୟ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ସହଜ ବାଟ ହୋଇଯାଇଛି । ଉଭୟ ସରକାର ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟିବା ସ୍ୱାଭାବିକ ଘଟଣା । ମାତ୍ର ତେଲ ଦରରେ ସନ୍ତୁଳନ ରଖିବା ପାଇଁ ଉଭୟ ସରକାରଙ୍କ ପଦକ୍ଷେପ ଶୂନ୍ । ଅନ୍ତର୍ଜାତୀୟ ବଜାରରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କ୍ରୁଡ୍ ଅଏଲ ବା ଅଶୋଧିତ ତୈଳ ବ୍ୟାରେଲ (୧୫୯ ଲିଟର) ପିଚ୍ଛା ଥିଲା ୫୭୦୦ଟଙ୍କା । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଚ୍ଛା ୩୫ ଟଙ୍କା ୮୯ ପଇସାରେ କିଣାଯାଉଛି । ତୈଳ ପରିବହନ ଓ ବିଶୋଧନ କରିବା ପାଇଁ ପେଟ୍ରୋଲ ଲିଟର ପିଚ୍ଛା ୩ଟଙ୍କା ୪୫ ପଇସା ଏବଂ ଡିଜେଲ ପାଇଁ ୭ ଟଙ୍କା ୧୪ ପଇସା ଖର୍ଚ୍ଚ ହେଉଛି । ବିଶୋଧିତ ପେଟ୍ରୋଲ ୩୯ ଟଙ୍କା ୩୪ ପଇସା ଓ ଡିଜେଲ ୪୩ ଟଙ୍କା ୩ ପଇସାରେ ମିଳିବା ପରେ କେନ୍ଦ୍ର ସରକାର ଅତିରିକ୍ତ ବହିଶୁଳ୍କ ଓ ରୋଡ ସେସ୍ ବାବଦରେ ଗୋଟିଏ ଲିଟର ପେଟ୍ରୋଲ ଉପରୁ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଉପରୁ ୧୫ ଟଙ୍କା ୩୩ ପଇସା ଆଦାୟ କରୁଛନ୍ତି । ଡିଲରମାନେ ପେଟ୍ରୋଲ ଲିଟର ପିଚ୍ଛା ୩ଟଙ୍କା ୬୩ ପଇସା ଏବଂ ଡିଜେଲ ଉପରୁ ୨ ଟଙ୍କା ୫୩ ପଇସା ନେବା ପରେ ପେଟ୍ରୋଲ ଲିଟରର ମୂଲ୍ୟ ୬୨ ଟଙ୍କା ୪୭ ପଇସା ଏବଂ ଡିଜେଲ ମୂଲ୍ୟ ୬୦ ଟଙ୍କା ୮୯ ପଇସା ହେଉଛି । ଏହା ଉପରେ ରାଜ୍ୟ ସରକାର ପୁଣି ୨୬ ପ୍ରତିଶତ ଭାଟ୍ ଅର୍ଥାତ ଲିଟର ପିଚ୍ଛା ୧୫ ଟଙ୍କା ୪୪ ପଇସା ଲେଖାଁଏ ଆଦାୟ କରିବା ପରେ ତେଲ ୮୦ ଟଙ୍କା ପାଖାପାଖି ହୋଇଯାଉଛି । ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୋଝର ଫଳ ସାଧାରଣ ଲୋକଙ୍କୁ ଭୋଗ କରିବାକୁ ପଡୁଛି । ସାଧାରଣ ଲୋକେ ଯେତେ ଅଧିକ ତେଲ କିଣୁଛନ୍ତି, ଉଭୟ ସରକାର ସେତେ ଲାଭବାନ ହେଉଛନ୍ତି । ତେଲ ଦର ରୋକିବାକୁ ସରକାର ଖର୍ଚ୍ଚ କାଟ କରୁନାହାଁନ୍ତି । ବରଂ ସାଧାରଣ ଲୋକଙ୍କ ଟଙ୍କାରେ ସରକାର ନିଜର ଆତ୍ମ ପ୍ରଚାର କରି ଅଯଥା ଖର୍ଚ୍ଚ କରି ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here