ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ନାରୀ । ପୋକ୍ସୋ ଆକ୍ଟରେ ସଂଶୋଧନ ପରେ ଦଣ୍ଡ କଠୋର ହୋଇଥିଲେ ବି ଅପରାଧ ମାନସିକତାକୁ ରୋକିବାରେ ସକ୍ଷମ ହୋଇପାରିନାହିଁ । କେବଳ ପ୍ରାପ୍ତ ବୟସ୍କା ଯୁବତୀ ନୁହଁନ୍ତି, କୋମଳମତୀ ନାବାଳିକା ଓ ଶିଶୁକନ୍ୟା ବି ଏଭଳି ପାଶବିକ ଅତ୍ୟାଚାରର ଶିକାର ହେଉଛନ୍ତି । ଅତ୍ୟନ୍ତ ବର୍ବରୋଚିତ, ନୃଶଂସ ଓ ଘୃଣ୍ୟ ହୋଇଥିଲେ ବି ପାପାଚାରୀଙ୍କ ସୈତାନୀ ନିକଟରେ ହାର୍ ମାନିଯାଉଛି ଝିଅଟି । ଏଭଳି ହୀନ କାର୍ଯ୍ୟର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ । ଜଣେ ଦଳିତ ନାବାଳିକାଙ୍କୁ ତିନି ଜଣ ଯୁବକ ଗାଁ ଦାଣ୍ଡରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ଶନିବାର ସଂଧ୍ୟାରେ ଏହି ଘଟଣା ଘଟିଥିଲା । ଗୋଳନ୍ଥରାରେ ଏକ ଦଳିତ ନାବାଳିକାଙ୍କୁ ତିନି ଜଣ ଯୁବକ ଜୋରଜବରଦସ୍ତ ରାସ୍ତାରୁ ଉଠାଇ ନେଇଥିଲେ। ନାବାଳିକାଙ୍କ ମା’ ଜଣେ ପଡ଼ୋଶୀଙ୍କ ଘରକୁ ଯାଇଥିଲେ । ପୀଡ଼ିତା ଜଣକ ମାଙ୍କୁ ଡ଼ାକିବାକୁ ପଡୋଶୀ ଘରକୁ ଯାଉଥିବା ସମୟରେ ତିନିଜଣ ଦୁବୃତ୍ତ ରାସ୍ତା ମଝିରୁ ତାଙ୍କୁ ଅପହରଣ କରି ନେଇଥିଲେ। ପରେ ଏକ ନିଚ୍ଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏନେଇ ଗୋଳନ୍ଥରା ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତକାଲି ଅଭିଯୋଗ ହେବା ପରେ ପୋଲିସ ଏତଲା ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ମାମଲାରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ସଂଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଏହି ଘଟଣାକୁ ସ୍ଥାନୀୟ ମହଲରେ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here