ଗୋଟିଏ ଘରେ ରହୁଥିବା ସ୍ବାମୀ ସ୍ତ୍ରୀଙ୍କ ଭିତରୁ କୌଣସି କାରଣରୁ ସ୍ତ୍ରୀ ପୋଡିହୋଇ ମରିଗଲା । ପୋଲିସ କାହାକୁ ଗିରଫ କରିବ ଦର୍ଶକ ବନ୍ଧୁ । ଏମିତି ମାମଲାରେ ପୋଲିସ କେବେ ସ୍ବାମୀକୁ ଛାଡେ କି । ଆଗ ସ୍ବାମୀକୁ ଅଟକ, ଜେରା, ତା ପରେ ଗିରଫ । ଏବେ ଆସନ୍ତୁ ଏସିଏଫ ସୌମ୍ୟରଂଜନଙ୍କ ମାମଲାକୁ । ଗୋଟିଏ ଘରେ ଏସିଏଫ ସୌମ୍ୟରଂଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ରହୁଥିଲେ । ମାତ୍ର କୌଣସି କାରଣରୁ ସୌମ୍ୟଙ୍କ ଦେହରେ ନିଆଁ ଲାଗିଗଲା, ଆଉ ଘର ଭିତରେ ଥିବା ପତ୍ନୀ ବିଦ୍ୟାଭାରତୀ ଜାଣିବା ବେଳକୁ ସ୍ବାମୀଙ୍କର ୯୦ ପ୍ରତିଶତ ପୋଡିଗଲା । ଏ ମାମଲାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ହେଉଛନ୍ତି ବିଦ୍ୟାଭାରତୀ । ଆତ୍ମହତ୍ୟା କି ହତ୍ୟାକାଣ୍ଡ । ଏକଥା ବିଦ୍ୟାଙ୍କୁ ହିଁ ଜଣା । ମାତ୍ର ଦି ଚାରିଘଂଟା ବିଦ୍ୟାଙ୍କୁ ଜେରା କରିସାରିବା ପରେ ପୋଲିସ ବାରିପଦାରୁ ବଲାଙ୍ଗୀର ଯାଏଁ ବୁଲୁଛି । ତଦନ୍ତର ଖିଅ ପାଉନି ପୋଲିସ ।
ସୌମ୍ୟଙ୍କ ପରିବାରର ଅଭିଯୋଗ ଏବଂ ସେମାନଙ୍କ ଘରୁ ମିଳିଥିବା ହାତଲେଖା ଚିଠି ସ୍ପଷ୍ଟ କରିସାରିଛି, ସୌମ୍ୟ ଓ ବିଦ୍ୟଭାରତୀଙ୍କ ଦାମ୍ପତ୍ତ୍ୟଜୀବନ ଭଲ ନ ଥିଲା । ସେମାନଙ୍କ ଭିତରେ ଅଶାନ୍ତି, ଅସନ୍ତୋଷ ଲାଗି ରହିଥିଲା । ନ ହେଲେ ବିଦ୍ୟାଭାରତୀ କେବେ ବି ଲେଖି ନଥାନ୍ତେ, ଶତ୍ରୁକୁ ବି ଭଗବାନ ଏମିତି ଲୋକ ନ ଦିଅନ୍ତୁ । ମତେ ଡିଭୋର୍ସ କରେଇ ଦିଅନ୍ତୁ, ମୁଁ ପୁରୀ ଆସି ସବୁଦିନ ଦାସୀ ହୋଇରହିବି । ମୁଁ ତମକୁ ଘୃଣା କରେ । ଇତ୍ୟାଦି ଇତ୍ୟାଦି । ପାରିପାର୍ଶ୍ବିକ ପରିବେଶ ଏବଂ ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ବୋହୂ ବିଦ୍ୟାଭାରତୀଙ୍କ ବିରୋଧରେ । ସିଧାସଳଖ ସେମାନେ ସୌମ୍ୟଙ୍କ ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀଙ୍କୁ ଦାୟୀ କରୁଥିବା ବେଳେ ପୋଲିସ ଚୁପ୍ ବସିଛି କାହିଁକି । ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ବିଦ୍ୟାଙ୍କ ପଛରେ କିଏ ବିଗ୍ ବସ୍ ଅଛନ୍ତି ବୋଲି ପ୍ରଶ୍ନ ମଧ୍ୟ ଉଠୁଛି ।
ସୌମ୍ୟଙ୍କ ମୃତ୍ୟୁର ଦୁଇ ସପ୍ତାହ ବିତିଗଲାଣି । ପୋଲିସ, କ୍ରାଇମବ୍ରାଞ୍ଚ କିଏସବୁ ମିଳିମିଶି ତଦନ୍ତ କରୁଛନ୍ତି । ହେଲେ ଏପର‌୍ୟ୍ୟନ୍ତ ଠୋସ୍ ସୁରାଗ୍ କିଛି ଲାଗିନି ପୋଲିସ ହାତରେ । ଜେରା ପରେ ଡିଏଫଓ ଓ ରୋଷେଇଆକୁ ପୋଲିସ କ୍ଲିନ ଚିଟ୍ ଦେଇସାରିଛି । ଆଉ ରହିଲେ ବିଦ୍ୟା ଭାରତୀ । ବରଂ ବେଳେ ବେଳେ ଏମିତି ଲାଗୁଛି ବିଦ୍ୟାଙ୍କୁ କ୍ଲିନଚିଟ ଦେଇ, ପୋଲିସ ଆତ୍ମହତ୍ୟା କହି କେତେବେଳେ ଫାଇଲ ବନ୍ଦ କରିଦେବ ।
ଏବେ ଆସନ୍ତୁ ଜାଣିବା ପୋଲିସର ପାରିବା ପଣିଆ ଉପରେ । କେତେ ଦକ୍ଷ ଆମ ପୋଲିସ । ମନେ ପକାନ୍ତୁ ମାନବପ୍ରେମୀ ଆଦିତ୍ୟଦାସଙ୍କ ମୃତ୍ୟୁ ରହସ୍ୟ । କେମିତି ମଲେ, ଏଯାଏଁ କେହି ଜାଣିପାରିଲେନି । ପୋଲିସ ତଦନ୍ତ କରୁଛି । ପରୀ ମାମଲାରେ ପୋଲିସ ଯଦିଓ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି, କିନ୍ତୁ ଏବେ ବି ସାଧାରଣରେ ପୋଲିସ ତଦନ୍ତ ଉପରୁ ସନ୍ଦେହ ହଟିନି । ଏମିତି ଅନେକ ମାମଲାରେ ପୋଲିସ କୌଣସି କନକ୍ଲୁଜନରେ ପହଞ୍ଚି ପାରିନି । ମନେହେଉଛି ଏସିଏଫ ସୌମ୍ୟରଂଜନଙ୍କ ମାମଲା ବି ଦିଗହରା ହୋଇସାରିଛି ।
ଏବେ କୁହାଯାଉଛି, ପୋଲିସ ବିଦ୍ୟାଭାରତୀଙ୍କୁ ଛୁଇଁ ପାରିବନି । ଆଇନଗତ ପ୍ରତିବନ୍ଧକ ରହିଛି । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ କୁଆଡେ କହିଛନ୍ତି, ଏହା ଏକ ଦୁର୍ଘଟଣା । ତେଣୁ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁଯାୟୀ, ପୋଲିସ ବିଦ୍ୟାଙ୍କ ବିରୋଧରେ କିଛି ବି ଆକ୍ସନ ନେଇପାରିବ ନାହିଁ । ମାତ୍ର ଯଦି ବିଦ୍ୟାଭାରତୀ ମୁଖ୍ୟ ଅଭିଯୁକ୍ତ, ତେବେ ପୋଲିସ ତାଙ୍କୁ ଗିରଫ କରିବା ପୂର୍ବରୁ ଯଥେଷ୍ଟ ପ୍ରମାଣ ଯୋଗାଡ କରିବା ଆବଶ୍ୟକ । ହେଲେ ପୋଲିସ କରୁଛି କଣ । ଅନ୍ଧାରରେ ବାଡି ବୁଲେଇବା ପରି ପୋଲିସ ବୁଲୁଛି ।

LEAVE A REPLY

Please enter your comment!
Please enter your name here