ପଶ୍ଚିମବଙ୍ଗରେ ବିଜେପିର ଧଜିଆ ଉଡାଇଦେଲେ ଦିଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ବିଶାଳ ରାଲି, ବ୍ୟୟବହୁଳ ପ୍ରଚାର ସତ୍ତ୍ବେ ବିଜେପିର ବଙ୍ଗ ଅଭିଯାନ ଫସର ଫାଟିଗଲା । ଦଳ ଦଳ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ବଙ୍ଗ ଗସ୍ତ ଓ ଶୋଭାଯାତ୍ରା ବଙ୍ଗବାସୀଙ୍କୁ ପ୍ରଭାବିତ କରିପାରିଲାନି । ବରଂ 2019 ନିର୍ବାଚନ ଫଳ ଠାରୁ ଆହୁରି ଅଧିକ ସଂଖ୍ୟାରେ ମମତା ବାନାର୍ଜିଙ୍କ ତୃଣମୂଳ କଂଗ୍ରେସ ବିଜୟ ବାନା ଉଡାଇବାରେ ସଫଳ ହୋଇଛି । 294 ଆସନରୁ ମମତାଙ୍କ ଟିଏମସି 205ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର 84ଟି ଆସନରେ ଆଗୁଆ ରହିଛି । 2019 ନିର୍ବାଚନ ଫଳ ତୁଳନାରେ ଦିଦି ଅଧିକ 42 ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି 37ଟି ଆସନରେ ପଛୁଆ ରହିଛି । ବାମପନ୍ଥି ଦଳ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି । ସେହିପରି ତାମିଲନାଡୁରେ 234 ଆସନରୁ ଡିଏମକେ 137 ଆସନରେ ଆଗୁଆ ରହିଥିବା ବେଳେ ଏଡିଏମକେ 96 ଆସନରେ ଆଗୁଆ ରହିଛି । କେରଳରେ ଏଲଡିଏଫ ସରକାର ଗଢିବା ପାଇଁ ଅଗ୍ରସର ହେଉଛି । ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜେପିକୁ ଶକ୍ତ ଧକ୍କା ଲାଗିଥିବା ବେଳେ କେବଳ ଆସାମରେ ବିଜେପିକୁ ଆଶ୍ବାସନା ମିଳିଛି । ଆସାମରେ ବିଜେପି 77ଟି ଆସନରେ ଆଗୁଆ ରହିଛି ।