ଦୀର୍ଘଦିନ କ୍ଷମତାରେ ଥିବା ଏବଂ ଦେଶର ସବୁଠୁ ପୁରାତନ ରାଜନୈତିକ ଦଳ କଂଗ୍ରେସର ଶୋଚନୀୟ ଅବସ୍ଥା । କ୍ଷମତାଠୁ ଦୂରରେ ରହିବା ପରେ କ୍ଷମତାକୁ ଫେରିବା ପାଇଁ ଡହଳ ବିକଳ ହେଉଥିବା କଂଗ୍ରେସିଆଙ୍କ ବୁଦ୍ଧି ବାଟ ବଣା ହୋଇଗଲାଣି । ନିକଟରେ ସରିଥିବା ପା଼୍ଂଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଯାହା ହେଲା, ତାହା ଆଉ ଦୋହରାଇବା ଦରକାର ନାହିଁ । ମାତ୍ର ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଦଳର ସଂଗଠନ କ୍ରମଶଃ ଦୁର୍ବଳ ହୋଇଚାଲିଥିବା ବେଳେ ଦଳର ପୁରୁଖା ନେତାଙ୍କ ଭିତରେ ନୈରାଶ୍ୟ ଦେଖାଦେଲାଣି । ଆଉଥରେ ଦଳକୁ ଉପରକୁ ଉଠାଇବାର ଆଶା ଛାଡିଦେଲେଣି ଅନେକ କଂଗ୍ରେସିଆ । ସବୁଠୁ ବଡ କଥା ହେଉଛି, ହାଇକମାଣ୍ଡଙ୍କ ବିନା ନିର୍ଦ୍ଦେଶରେ ପତ୍ର ହଲୁ ନ ଥିବା ଦଳର ସୁପ୍ରିମୋ ବି ଦୋଛକିରେ । ଦଳର ନେତୃତ୍ବ ନେବେ କି ଛାଡିବେ, ତାହା ବି ଜାଣିପାରୁନାହାଁନ୍ତି । ଓଡିଶାରେ କଂଗ୍ରେସର ସବୁ ପରୀକ୍ଷାନୀରିକ୍ଷା ଫେଲ୍ ହୋଇଥିବା ବେଳେ ଜଣକ ପରେ ଜଣେ ନେତା ଦଳ ଛାଡି ଚାଲିଯିବାକୁ ଉଚିତ ମନେ କରୁଛନ୍ତି । ପିସିସି ସଭାପତି ଥିବା ନିରଞ୍ଜନ ବାବୁ ଜାଣି ସାରିଲେଣି, ନିକଟ ଭବିଷ୍ୟତରେ ଆଉ ଦଳରୁ ମହୁ ଝରିବାର ନାହିଁ । ତେଣୁ ତିନିବର୍ଷ ହେଲାଣି ସେ ଦଳର ନେତୃତ୍ବ ଛାଡିବା ପାଇଁ କହୁଥିଲେ ହେଁ ହାଇକମାଣ୍ଡ୍ କୁଆଡେ ତାଙ୍କ କଥା ଶୁଣୁନାହାଁନ୍ତି । ଏଭଳି ସ୍ଥିତିରେ ତାରା ପ୍ରସାଦ ବାହିନୀପତିଙ୍କ ଭଳି ଅଳ୍ପ କିଛି କଂଗ୍ରେସିଆ ନେତା ନିଜ ଦୁର୍ଗ ରକ୍ଷା କରିବା ପାଇଁ ଲାଗି ପଡିଥିଲେ ହେଁ ତାହା ଯେ ଆଉ ବେଶୀ ଦିନ ତିଷ୍ଠି ରହିବ ନାହିଁ, ତାହା ଜଳ ଜଳ ଦିଶିଲାଣି । ଦିନେ ଯେଉଁ ଦଳରୁ ଟିକଟ ପାଇବା ପାଇଁ ଲମ୍ବା ଲାଇନ ଲାଗୁଥିଲା, ଏବେ ସେ ଦଳରୁ ପ୍ରାର୍ଥୀ ହେବା ପାଇଁ ଆଉ କେହି ଇଚ୍ଛା କରୁନାହାଁନ୍ତି । ନିକଟରେ ସରିଥିବା ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ସବୁ ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇପାରି ନ ଥିଲା । ଏବେ ପୌର ନିର୍ବାଚନରେ ବି ଦଳର ଅବସ୍ଥା ସେଇୟା । ଭୁବନେଶ୍ବର ମହାନଗର ନିର୍ବାଚନରେ 67ଟି ଓ୍ବାର୍ଡରୁ କଂଗ୍ରେସ 22ଟି ଆସନରେ ପ୍ରାର୍ଥୀ ଦେଇପାରିନାହିଁ । ଏଥରୁ କଂଗ୍ରେସର ଅବସ୍ଥା କେତେ ଦୟନୀୟ, ବିଚାର କରନ୍ତୁ ।

LEAVE A REPLY

Please enter your comment!
Please enter your name here