ପୁଣି ବିରୋଧୀଙ୍କ ସମାଲୋଚନାର ଶୀକାର ହେଲେ ରାଜ୍ୟ ସରକାର । ଧାନ କିଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସମଗ୍ର ରାଜ୍ୟରେ ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ମିଳିତ ଭାବେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଧାନ କିଣାରେ କଟନୀ ଛଟନୀ ବନ୍ଦ କର, ନହେଲେ ୨ ଦିନ ଭିତରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସରକାର ଓ ମିଲ୍ ମାଲିକଙ୍କ ମଧ୍ୟରେ ସଲାସୁତରା ରହିଛି। ଚାଷୀ ବର୍ଷା, ଖରା ଶୀତରେ ଧାନ ବିକ୍ରି ପାଇଁ କଷ୍ଟ ସହୁଛନ୍ତି। ରାଜ୍ୟର ପ୍ରାୟ ୮୦ ଭାଗ ଲୋକ ପେଟ ପୋଷିବା ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି। ହକି ପାଇଁ ମଧ୍ୟ ଚାଷୀର ଟ୍ୟାକ୍ସ କଟାଯାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଧାନ କିଣାଯାଉ। ଧାନକିଣାରେ ଦୁର୍ନୀତି ହେଲେ ସଂପୃକ୍ତ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ସଚେତକ ଶ୍ରୀ ବାହିନୀପତି କହିଛନ୍ତି।
ଏହାର ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୁଚନା ଦେଇଛନ୍ତି ଯେ, ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା କଲେକ୍ଟରମାନଙ୍କୁ ଏପରି କୌଣସି ବ୍ୟତିକ୍ରମ ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଧାନ କିଣାରେ ଦୁର୍ନୀତି କଲେ ମିଲର ଓ ପାକ୍ସଙ୍କୁ ଗିରଫ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମିଲର ଓ ପାକ୍ସଙ୍କୁ ଗିରଫ କରାଯିବା ସହ ସେମାନଙ୍କ ମିଲ୍ ଜବତ କରିବାକୁ ମଧ୍ୟ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂର୍ୟ୍ୟ ପାତ୍ରଙ୍କ କହିବାନୁଯାୟୀ ,ପାକ୍ସ ୨୪ ଘଣ୍ଟାରୁ ଅଧିକ ସମୟ ଧାନ ରଖିପାରିବେ ନାହିଁ । ଗତ ୨୩ ତାରିଖରୁ ଅଧିକ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଯାଇଛି । ଧାନ କିଣାକୁ ନେଇ କଳାହାଣ୍ଡି ,ନୂଆପଡ଼ାରେ ସମସ୍ୟା ରହିଥିଲା ତାହା ବର୍ତ୍ତମାନ ସମାଧାନ ହୋଇସାରିଛି। ଆଗାମୀ ୧୫ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here