ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା । କିଏ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ? ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ବାଛିବେ କି ନବୀନ ? ନବୀନଙ୍କ ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ନାଁ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି । ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକେ ସୁଜାତାଙ୍କୁ ନେଇ କେମିତି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାକୁ ଅନୁଧ୍ୟାନ କରୁଛନ୍ତି ନବୀନଙ୍କ ଟିମ୍ । 2024ରେ ନବୀନଙ୍କ ଉତ୍ତରାଧିକାରୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ନିଶ୍ଚିତ ହୋଇଯାଇଛି । ଏବେ ଦଳ ଭିତରେ ନବୀନଙ୍କ କୋଟେରୀରେ ଖୁବ୍ ପ୍ରଭାବଶାଳୀ ଥିବା ବିଧାୟକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ ନିଜେ ଏଭଳି ଗୁଗୁଲି ଛାଡିଥିବା କୁହାଯାଉଛି । ନିର୍ବାଚନକୁ ଆହୁରି ଦୁଇବର୍ଷ ବାକି ରହିଥିବା ବେଳେ ଆଇଏଏସ ସୁଜାତା କାର୍ତ୍ତିକେୟନ ନବୀନଙ୍କ ଉତ୍ତରାଧିକାରୀ ହେବା କଥାକୁ ନେଇ ଦଳ ଭିତରେ ବି ଚର୍ଚ୍ଚା ଜୋର ଧରିଲାଣି । କେନ୍ଦ୍ରାପଡା ଝିଅ ସୁଜାତା ରାଉତ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ପତ୍ନୀ । ଉଭୟ ପାଣ୍ଡିୟାନ ଦମ୍ପତ୍ତି ଗତ କିଛିବର୍ଷ ଧରି ନବୀନଙ୍କ ପରିବାରର ସଦସ୍ୟ ଭଳି ନବୀନଙ୍କ ସେବା କରୁଛନ୍ତି । ସାରା ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଆଗରେ କୌଣସି ରାଜନୈତିକ ନେତା ସମାନ ନୁହଁନ୍ତି । ଏଭଳି ସ୍ଥିତିରେ ନବୀନ ନିଜେ ଯଦି ଉତ୍ତରାଧିକାରୀ ଘୋଷଣା କରନ୍ତି, ତେବେ ପରବର୍ତ୍ତି ସମୟରେ ଆଉ କେହି ବିରୋଧ କରିବାକୁ ସାହସ କରିବେନି । ଅନ୍ୟପକ୍ଷରେ ଓଡିଶାବାସୀ ବି ନବୀନଙ୍କ ଉପସ୍ଥିତିରେ ତାଙ୍କୁ ଗ୍ରହଣ କରିନେବେ ବୋଲି ଆଶା କରାଯାଉଛି । ମାତ୍ର ଏବେ ଦଳୀୟ କର୍ମୀ, ନେତା ଓ ଲୋକଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କରୁଛି ଦଳ ।

LEAVE A REPLY

Please enter your comment!
Please enter your name here