ନବ ଦାସଙ୍କ ମୃତ୍ୟୁକୁ ଆଜି ଦୁଇମାସ ପୁରିଗଲା । ଆଉ ସେହିଦିନରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ମୃତ୍ୟୁର ଦୁଇମାସ ପରେ ଜଣାପଡିଲାନି ନବ ଦାସଙ୍କୁ କାହିଁକି ଗୁଳି କରି ମରାଗଲା ? ଗୁଳି କରିଥିବା ପୋଲିସ ଅଧିକାରୀଙ୍କୁ ଗିରଫ ପରେ ବି ପୋଲିସ ହାତ ଖାଲି । କ୍ରାଇମବ୍ରାଞ୍ଚ ତଦନ୍ତ ଦେଇ ସରକାର ଚୁପ୍ । ଆଉ ଚୁପ୍ ବି ନବ ଦାସଙ୍କ ପରିବାର । ବିରୋଧୀ କେତେବେଳେ କେମିତି ହାଉ ହାଉ ହେଉଥିଲେ ବି ବିରୋଧୀଙ୍କ ଚିରାଚରିତ ବିରୋଧ ବୋଲି ସରକାର ସଫେଇ ଦେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଦୁଇମାସ ପରେ ବି ବାପାଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଥିବା ବେଳେ ନବ ଦାସଙ୍କ ପରିବାର ଏବେ ବି ନବୀନଙ୍କୁ ଭରସା କରି ରହିଛନ୍ତି ।
ନବୀନଙ୍କ ଉପରେ ଏତେ ଭରସା କଣ ପାଇଁ ?
ଆସନ୍ତା 10 ତାରିଖରେ ଉପନିର୍ବାଚନ ହେବ । ରାଜନୀତି ଅଭିଳାଷ ରଖିଥିବା ସ୍ବର୍ଗତଃ ନବ ଦାସଙ୍କ ଝିଅ ଦିପାଳୀ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । କେବଳ ନବୀନଙ୍କ ଇସାରାକୁ ଅପେକ୍ଷା କରିଛନ୍ତି । ତେବେ ତାଙ୍କର ଲୋକସଂପର୍କ କାର୍ଯ୍ୟକ୍ରମରୁ ଜଣାପଡୁଛି, ପ୍ରାର୍ଥୀ ହେବା ପାଇଁ ତାଙ୍କୁ ସବୁଜ ସଙ୍କେତ ମିଳି ସାରିଛି ।
ନବ ଦାସଙ୍କୁ କିଏ , କାହିଁକି ମାରିଲା, ତାହା ସ୍ପଷ୍ଟ କରିବା ଦାୟିତ୍ବ ତଦନ୍ତକାରୀ ସଂସ୍ଥାର, ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଛି । ମାତ୍ର ଦୁଇମାସ ପରେ ବି ତଦନ୍ତକାରୀ ସଂସ୍ଥାର ଆଉଟପୁଟ୍ ଜିରୋ । ତା ସତ୍ତ୍ବେ ବି ନବ ଦାସଙ୍କ ପରିବାରର ପୁରା ଭରସା ରହିଛି ନବୀନଙ୍କ ଉପରେ ।
ନବ ଦାସଙ୍କ ମୃତ୍ୟୁର ଦୁଇମାସ ପରର ସ୍ଥିତି ହେଉଛି, ଆଗ ନିର୍ବାଚନ । ଦ୍ବିତୀୟରେ ନବଙ୍କ ମୃତ୍ୟୁ ରହସ୍ୟ । ଆଉ କିଛି ଦିନ ପରେ ଲୋକେ ଭୁଲିଯିବେ, ନବ ଦାସଙ୍କୁ କିଏ, କାହିଁକି ମାରିଥିଲା ।