ସବୁ ହିସାବନିକାଶରେ ପୂର୍ଣ୍ଣଚ୍ଛେଦ ପଡିଲା. ଓଡିଶାରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେନି ଏବଂ ଝୁଲା ବିଧାନସଭା ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା. ବିଜେପିର ୧୨୦ ପ୍ଲସ ମିଶନ ଓ କଂଗ୍ରେସର କ୍ଷମତା ଦଖଲ ନିଶାକୁ ଚକମା ଚୁର୍ କରିଦେଲା ବିଜେଡି. ସବୁ ଏକଜିଟ୍ ପୋଲ୍ ରିପୋର୍ଟକୁ ଭୁଲ ପ୍ରମାଣିତ କରି ନବୀନ ପଞ୍ଚମ ଥର ପାଇଁ ସିଂହାସନ ଦଖଲ କରିନେଲେ. ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ପ୍ରମାଣ କରିଦେଲା, ନବୀନ ଏବେ ବି ଅପ୍ରତିଦ୍ବନ୍ଦୀ. ନବୀନଙ୍କ ଲୋକପ୍ରିୟତା ଆଗରେ ଫିକା ପଡିଗଲେ ମୋଦି. ଓଡିଶା ଦଖଲ ପାଇଁ ମୋଦୀଙ୍କ ସମସ୍ତ ରଣକୌଶଳ ଫେଲ୍ ମାରିଗଲା. ମୋଦିଙ୍କ ଡବଲ ଇଂଜିନ ମନ୍ତ୍ର ବି ଓଡିଶାରେ କାଟୁ କଲାନି. ମୋଦି ଓ ଅମିତ ଶାହଙ୍କ ସମେତ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର ସତ୍ତ୍ବେ ଓଡିଶାର ନିର୍ବାଚନ ଫଳ ବିଜେପିକୁ ନିରାଶ କରିଛି. କେନ୍ଦ୍ରରେ ମୋଦିଙ୍କ ନେତୃତ୍ବରେ ଏନଡିଏକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠ ଆସନ ମିଳିଥିବା ବେଳେ ଓଡିଶା ଲୋକସଭା କ୍ଷେତ୍ରରେ ବିଜେପିକୁ ଆଶାନୁରୂପ ସଫଳତା ମିଳିପାରିନାହିଁ. ଏକଜିଟ୍ ପୋଲ୍ ରିପୋର୍ଟ ପରେ ଓଡିଶାରେ କ୍ଷମତା ଦଖଲ କରିବାର ସ୍ବପ୍ନ ଦେଖୁଥିବା ବିଜେପିକୁ ଶକ୍ତ ଧକ୍କା ଲାଗିଛି. ଅନ୍ୟପକ୍ଷରେ ପିସିସି ସଭାପତି ହେବା ପରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଯାହା ଆଶା କରାଯାଉଥିଲା, ଜନମତ ଆଗରେ ତାହା ମଧ୍ୟ ଧୂଳିସାତ୍ ହୋଇଯାଇଛି. ଦୁଇଟି ବିଧାନସଭା ଆସନରେ ନିଜେ ନିରଞ୍ଜନ ପ୍ରତିଦ୍ବନ୍ଦିତା କରିଥିବା ବେଳେ ପୁଅ ନବନୀତ୍ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରି ନିରାଶ ହୋଇଛନ୍ତି. ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବଦଳରେ ତୃତୀୟ ସ୍ଥାନକୁ ଖସି ଯାଇଛି. ସେହିପରି ବିଭିନ୍ନ ସମୟରେ ବିଜେଡିରୁ ବହିଷ୍କୃତ ହୋଇଥିବା ଅଥବା ଦଳରୁ ଇସ୍ତଫା ଦେଇଥିବା ପୁରୁଖା ନେତାମାନେ ମଧ୍ୟ ଚଳିତ ନିର୍ବାଚନରେ ଫେଲ୍ ହୋଇଛନ୍ତି. ରାଜନୀତିରେ ପୋଖତ ନେତା ଭାବେ ପରିଚିତ ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତାଙ୍କୁ ବି ଜନତା ଜନାର୍ଦ୍ଦନ ପ୍ରତ୍ୟାଖାନ କରିଛନ୍ତି.

LEAVE A REPLY

Please enter your comment!
Please enter your name here