ପଡୋଶୀ ରାଜ୍ୟଗୁଡିକ ସହ ଓଡିଶାର ସୀମା ବିବାଦ କିଛି ନୁୂଆକଥା ନୁହେଁ । ମାତ୍ର ପଡୋଶୀ ରାଜ୍ୟ ସହ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆମେ ଆମର ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛୁ । ଯେମିତି ଆମ ସୀମାନ୍ତ ଭିତରେ ପ୍ରବେଶ କରି ପଶ୍ଚିମବଙ୍ଗ ପ୍ରତିଦିନ ଟ୍ରକ ଟ୍ରକ ବାଲି ଉଠାଇ ନେଇଯାଉଛି । ଆମେ କିଛି କରିପାରୁନେ । ପ୍ରତିଦିନ ପଶ୍ଚିମବଙ୍ଗରୁ ଶତାଧିକ ଟ୍ରକ ଓଡିଶା ସୀମାନ୍ତ ଜଳେଶ୍ବରରୁ ବାଲି ଉଠାଇ ନେଉଥିଲେ ବି ଆମ ପ୍ରଶାସନ ବନ୍ଦ କରିପାରୁନି । ସେମିତି ଛତିଶଗଡ ବିରୋଧରେ ଆମର ଅଭିଯୋଗ, ମହାନଦୀ ପାଣି ନେଇଯାଉଛି । ମହାନଦୀ ଉପରମୁଣ୍ଡରେ ବ୍ୟାରେଜ କରି ପାଣି ଅଟକାଇଲା । ମାତ୍ର ଆମେ ଓ ଆମ ସରକାର ଅସହାୟ । ବ୍ୟାରେଜ ଅଧା ତିଆରି ହେବା ପରେ ଆମ ସରକାରଙ୍କ ନିଦ ଭାଙ୍ଗିଲା । ଏବେ ସେମିତି ଆନ୍ଧ୍ର ପ୍ରଦେଶ ଆମ ସୀମା ଭିତରେ ପଶି ତିନୋଟି ଗାଁରେ ପଞ୍ଚାୟତ ନିର୍ବାଚନ କରିଦେଲା । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ତ ଆମେ ଜାଣିପାରିଲୁ ନାହିଁ, ଆହୁରି ଲଜ୍ଜାକର କଥା ହେଉଛି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ପଞ୍ଚାୟତରେ ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବାର ଟେର୍ ବି ପାଇଲୁନି । ଆମ ସରକାର ଏବେ ତିନୋଟି ଗାଁକୁ ଆନ୍ଧ୍ରପ୍ରଦେଶରୁ ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦୁଇ ଦଶନ୍ଧି ଧରି ଗୋଟିଏ ସରକାର ଏବଂ ଗୋଟିଏ ନେତୃତ୍ବ ଓଡିଶାକୁ ଶାସନ କରିଆସୁଥିବା ବେଳେ ଏ ବିଭ୍ରାଟ କଣ ପାଇଁ ? ପଡୋଶୀ ରାଜ୍ୟଗୁଡିକର ଏ ଦାଦାଗିରି କଣ ପାଇଁ ? ଓଡିଶାର ଦୁର୍ବଳ ନେତୃତ୍ବ ପାଇଁ ପଡୋଶୀ ରାଜ୍ୟମାନେ ଆମ ସଂପତ୍ତିକୁ ଏମିତି ଲୁଟି ନେବାରେ ସଫଳ ହେଉଛନ୍ତି ବୋଲି ଆକ୍ଷେପ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନେତୃତ୍ବର ଅପାରଗତା ପାଇଁ ଓଡିଶାକୁ ଏଭଳି ପରିସ୍ଥିତି ସାମନା କରିବାକୁ ପଡୁଛି ବୋଲି କହିଛନ୍ତି ନରସିଂହ ।

LEAVE A REPLY

Please enter your comment!
Please enter your name here