ଆଜି ପାଣ୍ଡିଆନଙ୍କ ଜନ୍ମଦିନ । ପାଣ୍ଡିଆନ୍ ମହାଶୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ।
ଏ ପାଣ୍ଡିୟାନ କିଏ ? ଆଇଏଏସ ଭି. କେ. ପାଣ୍ଡିୟାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଇଭେଟ ସେକ୍ରେଟାରୀ ଓ 5-T ସେକ୍ରେଟାରୀ । ଏମିତି ଦୁଇଶହ ଆଇଏଏସ ଅଫିସର ତ ଅଛନ୍ତି । ହେଲେ ପାଣ୍ଡିୟାନଙ୍କୁ ସୋସିଆଲ ମିଡିଆରେ ଯେମିତି ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଛୁଟିଛି, ଲାଗୁଛି ପାଣ୍ଡିୟାନ ଖାଲି ଆଇଏଏସ ଅଫିସର ନୁହଁନ୍ତି । ତା ହେଲେ ସେ କଣ ? ସେ ଜଣେ ଏମିତିକା ବ୍ୟୁରୋକ୍ରାଟ, ଯିଏ ରାଜ୍ୟର ସବୁ ବ୍ୟୁରୋକ୍ରାଟ ଓ ପଲଟିସିଆନଙ୍କୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇପାରିଛନ୍ତି । କେବଳ ବ୍ୟୁରୋକ୍ରାଟ ଓ ପଲିଟିସିଆନ ନୁହଁନ୍ତି, ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀ ବି ତାଙ୍କ ପ୍ରଶଂସାରେ ଶତମୁଖର । ଅର୍ଥାତ ଖାଲି ଥାର୍ଡ ନୁହେଁ, ସବୁ ‘ଫ୍ଲୋର’ର ମାଲିକ ହେଉଛନ୍ତି ବାବୁ ପାଣ୍ଡିୟାନ । ଆସନ୍ତୁ ଜାଣିବା, ପାଣ୍ଡିୟାନଙ୍କ ପାଖରେ ଏମିତି କି କଳା, ମାନେ ସ୍କିଲ୍ ରହିଛି ଯେ, ସେ ସବୁଠୁ ପାଓ୍ବାରଫୁଲ୍ । ଏମିତି କି ମୁଖ୍ୟମନ୍ତ୍ରୀଙ୍କଠୁ ବି ।
ପାଣ୍ଡିୟାନ ହେଉଛନ୍ତି 2000 ମସିହା ବ୍ୟାଚର ଆଇଏଏସ ଅଫିସର । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାଙ୍କ କାର୍ଯ୍ୟଦକ୍ଷତା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଥିଲା । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର, ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଭଳି କାର୍ଯ୍ୟ କରି ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲେ ।
ସେ ଜିଲ୍ଲାପାଳ ଥିବା ବେଳେ 2008ରେ ଏମଏନଆରଜିଏସ ଯୋଜନାର ସଫଳ ରୂପାୟନରେ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ସ୍ଥାନ ହାସଲ କଲା । ଜିଲ୍ଲାପାଳଙ୍କ କାମରେ ମୁଖ୍ୟମନ୍ତ୍ରୀ ଖୁସି ହୋଇଗଲେ । ସେ ପର୍ଯ୍ୟନ୍ତ ପାଣ୍ଡିୟାନଙ୍କୁ ଓଡିଶାବାସୀ ଜାଣି ନଥିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ଶାସନରେ ଅବସରପ୍ରାପ୍ତ ଆଇଏଏସ ସ୍ବର୍ଗତଃ ପ୍ୟାରୀ ମୋହନ ମହାପାତ୍ର ଥିଲେ ସୁପର ଚିଫ୍ ମିନିଷ୍ଟର ।
2011 – ରାଜ୍ୟ ରାଜନୀତିର ଚିତ୍ର ବଦଳି ସାରିଥିଲା । ସୁପର ଚିଫ୍ ମିନିଷ୍ଟର ବୋଲାଉଥିବା ପ୍ୟାରୀ ବାବୁଙ୍କୁ ନବୀନ ଆଉ ଗୁରୁତ୍ବ ଦେଉ ନଥିଲେ । ପ୍ୟାରୀବାବୁଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଥିଲା । ଏମିତି ଏକ ସମୟରେ ସେକ୍ରେଟାରିଏଟର ଥାର୍ଡ ଫ୍ଲୋରରେ ତାମିଲିଆନ ଆଇଏଏସ ଭି. କେ. ପାଣ୍ଡିୟାନଙ୍କ ଚଉକିଟିଏ ମିଳିଗଲା । ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ପଦୋନ୍ନତି ମିଳିଲା । ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ପାଇଁ ଗୋଟେ ଭଲ ସୁଯୋଗ ମିଳିଗଲା । କିନ୍ତୁ ପାଣ୍ଡିୟାନଙ୍କ ପୂର୍ବରୁ ବି ଅନେକ ଆଇଏଏସ ନବୀନଙ୍କ ପ୍ରାଇଭେଟ ସେକ୍ରେଟାରୀ ରହିଆସିଛନ୍ତି, କିନ୍ତୁ ପାଣ୍ଡିୟାନଙ୍କ ପାଖରେ ଏମିତି କି କଳା ଥିଲା ଯେ, ଆଜିର ଦିନରେ ସେ ଓଡିଶାର ସୁପର୍ ପାଓ୍ବାର । 2014 ସାଧାରଣ ନିର୍ବାଚନ ବେଳକୁ ନବୀନଙ୍କ ପାଖରେ ପ୍ୟାରୀ ବାବୁ ନ ଥିଲେ । ବିଶ୍ବାସଘାତକତା ପାଇଁ ସେ ବିଦା ହୋଇସାରିଥିଲେ । ରାଜନୈତିକ ପରାମର୍ଶ, ଟିକଟ ବଣ୍ଟା, ନିର୍ବାଚନ ପରିଚାଳନା ଏସବୁ କାର୍ଯ୍ୟ ପାଇଁ ବିଶ୍ବସ୍ତ ଲୋକଟିଏ ଖୋଜୁଥିଲେ ନବୀନ । 2014 ନିର୍ବାଚନ ବେଳକୁ ପାଣ୍ଡିୟାନଙ୍କ ଉପରେ ପୁରା ବିଶ୍ବାସ ନଥିଲେ ବି ଭାରା ଦେବା ଆରମ୍ଭ କରିଦେଇଥିଲେ ନବୀନ । ଦିବଂଗତ ନେତା କଳ୍ପତରୁ ଦାସ ଓ ଆଉ କିଛି ବରିଷ୍ଠ ରାଜନେତା ଏବଂ ପ୍ରାଇଭେଟ ସେକ୍ରେଟାରୀ ପାଣ୍ଡିୟାନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିମ୍ । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଯଦିଓ 2000 ମସିହାରୁ କ୍ଷମତାରେ ରହି ଆସିଛନ୍ତି, କିନ୍ତୁ କେତେବେଳେ ବି ବ୍ୟକ୍ତିଗତ ଭାବେ ସବୁ ନିଷ୍ପତ୍ତି ସେ ଏକା ନିଅନ୍ତିନି । ଅନ୍ୟ ଉପରେ ନିର୍ଭର କରିବା ବା ଦାୟିତ୍ବ ନ୍ୟସ୍ତ କରି ସଫଳତା ହାସଲ କରିବାକୁ ସେ ପସନ୍ଦ କରନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଭାବେ ଦୈନନ୍ଦିନ ତୃଣମୂଳ ନେତା, କର୍ମୀଙ୍କୁ ଭେଟିବା , ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ଅବା ରାଜନୈତିକ ନିଷ୍ପତ୍ତି ନେବା ଭଳି ସେ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତି । ଅର୍ଥାତ ତାଙ୍କ କାମ କରିବାର ଷ୍ଟାଇଲ ଅନ୍ୟ ରାଜନେତାଙ୍କ ଠାରୁ ଅଲଗା । ଆଉ ମୁଖ୍ୟମନ୍ତ୍ରୀଙ୍କ କାମ କରିବାର ଏହି ଷ୍ଟାଇଲ୍ ହିଁ ପାଣ୍ଡିୟାନଙ୍କ ପାଇଁ ସୁଯୋଗ ଆଣିଦେଲା । ଅର୍ଥାତ ନବୀନ ଯାହା ଖୋଜୁଥିଲେ, ପାଣ୍ଡିୟାନ ସେଇଆ କଲେ । ଟାଇମ ଅନୁଯାୟୀ ଟାର୍ଗେଟ ପୂରଣ କରିବା, ଦାୟିତ୍ବ ସଂପାଦନ କ୍ଷେତ୍ରରେ କଠୋର ହେବା ଏବଂ ନୂଆ ନୂଆ କାମ କରି ସରକାରଙ୍କୁ ବାହା-ବା ଆଣିଦେବାରେ ମାହିର ଥିଲେ ପାଣ୍ଡିୟାନ । ସେଇଥିପାଇଁ ସେ ରାଜ୍ୟ ପ୍ରଶାସନରେ ଯୋଡିଦେଲେ 5 T ବିଭାଗ ।
ଏବେ ନବୀନଙ୍କ ପୁରା ଭରଷା ପାଣ୍ଡିୟାନଙ୍କ ଉପରେ । ସରକାରୀ ଅଫିସର ହେଲେ ବି ନବୀନଙ୍କ ମନମୁତାବକ କାର୍ଯ୍ୟ କରିବାରେ ସେ ଓସ୍ତାଦ । ନବୀନଙ୍କ ନିର୍ଦ୍ଦେଶରେ ସବୁ କାମ ହେଉଛି । ଦଳୀୟ କାର୍ଯ୍ୟ ବି । କିନ୍ତୁ ପ୍ରଚ୍ଛଦପଟ୍ଟରେ ସବୁ ସମ୍ଭାଳୁଛନ୍ତି ବାବୁ ପାଣ୍ଡିୟାନ । ତାମିଲ ଅଫିସର କହି କିଏ ଗାଳି କରୁ ଅବା ବିରୋଧୀ ରାଜନୈତିକ ଦଳମାନେ ନାରାବାଜି କରନ୍ତୁ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ । କାହିଁକିନା ନବୀନ ତାଙ୍କୁ ସେ ଅଭୟ ଦେଇଛନ୍ତି । ସେଥିରେ ତାଙ୍କର କିଛି ଦୋଷ ନାହିଁ । ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ । ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ, ସେ ସେଇଆ କରିବେ ।
(ଅପୂର୍ବ କୁମାର ମହାନ୍ତି, ଏଡିଟର, ତକ୍ଷକ ନ୍ୟୁଜ୍ )