ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀରେ ପିଠା ଯୋଜନାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ଏହା ପିଠା ନୁହେଁ ବିଧା ମାରିବା ଯୋଜନା । ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ପିଠା ଯୋଜନା ଦ୍ୱାରା ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କରୁଥିବା ଅପପ୍ରଚାର ଧରାପଡିଯିବ । ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ଧର୍ମେନ୍ଦ୍ର ।
ବିଜେପି ଯୁବ ମୋର୍ଚ୍ଚାର ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ପିଠା ଯୋଜନା ଅଧିକାରୀଙ୍କ ଭିତରେ ମାଙ୍କଡ କଳି ଓ ରାଜସ୍ୱ ଲୁଟର ଏହା ମାଧ୍ୟମ ବୋଲି କହିଛନ୍ତି । ସର୍ବନିମ୍ନ ଟେଣ୍ଡର ରାଶି ୫ ଲକ୍ଷକୁ ବୃଦ୍ଧି କରିବାକୁ ମଧ୍ୟ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ବର୍ଷକୁ ୧୦ ହଜାର କୋଟି ଲୁଟ ହେଉଛି ବୋଲି ସେ ଆରୋପ ଲଗାଇଛନ୍ତି । ବୃଦ୍ଧ ବ୍ୟାଘ୍ର ସହ ନବୀନଙ୍କୁ ତୁଳନା କରି ଧର୍ମେନ୍ଦ୍ର କହିଛନ୍ତି, ଆସନ୍ନ ପରାଜୟ ଜାଣି ସ୍ୱର୍ଣ୍ଣ କଙ୍କଣ ଧରି ନବୀନ ଠିଆ ହୋଇଛନ୍ତି । ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଦୁଇ କୋଟି ନିଯୁକ୍ତି ପ୍ରତିଶ୍ରୁତିକୁ ନେଇ ଏବେ ଲୋକେ ପ୍ରଶ୍ନ କଲେଣି । ପିଠା ଯୋଜନା ବିଜେପିର ଅପପ୍ରଚାରକୁ ଲୋକଙ୍କ ଆଗରେ ଧରାଇଦେବା ସହ ସରକାରଙ୍କ ଜନହିତକର ଯୋଜନାର ସ୍ୱଚ୍ଛତା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସେ କହିଛନ୍ତି ।

ସୁଚନାଅନୁସାରେ, ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ସରକାର ପିଠା ନାମରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏନେଇ ସୁଚନା ଦେଇଥିଲେ । ଚଳିତମାସ ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ସରକାରଙ୍କ ପକ୍ଷରୁ କୁହାଯାଇଛି , ଆମ ଗାଁ ଆମ ବିକାଶର ଏହା ଏକ ଉପଯୋଜନା ଭାବେ କାର୍ଯ୍ୟ କରିବ । ପିପୁଲ୍ସ ଏମ୍ପାୱାରମେଣ୍ଟ-ଏନାବ୍ଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି ଅଫ ଓଡିଶା ଇନିସିଏଟିଭିସ (ପିଠା) ନାମକ ଏହି ଯୋଜନାରେ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ଶିବିରମାନ ଆୟୋଜନ କରାଯିବ । ଗ୍ରାମପଞ୍ଚାୟତ ସ୍ତରରେ ପ୍ରତିମାସରେ ଯେଉଁ ଶିବିରମାନ ଆୟୋଜନ କରାଯିବ ସେଥିରେ ଏଲଇଡି ବଣ୍ଟନ ଠାରୁ ଆରମ୍ଭ କରି ମଧୂବାବୁ ପେନସନ ଯୋଜନା, କଳାକାର ପେନସନ, ନିର୍ମାଣ ଶ୍ରମିକଙ୍କ ଲାଭ ଏବଂ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟକ୍ତିଗତ ଲାଭ ଉପରେ ପଦକ୍ଷେପ ନିଆଯିବ ।

ରିପୋର୍ଟ: ପ୍ରତ୍ୟୁଷ ମହାନ୍ତି

LEAVE A REPLY

Please enter your comment!
Please enter your name here