ପିପିଲି ପୀଡିତା ବେବିନାଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଥିବା ବିରୋଧୀଙ୍କ ପଶାପାଲିରେ ଫସିଗଲେ ମନ୍ତ୍ରୀ ପ୍ରଦୀପ ମହାରଥୀ. ବିଜେପି ଓ କଂଗ୍ରେସ ମହିଳା ସଙ୍ଗଠନର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ପାଇଁ ବଡ ରଣନୀତି ପ୍ରସ୍ତୁତ କରିଥିଲେ ଦୁଇ ବିରୋଧୀ. ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଆରମ୍ଭ କରିଥିଲେ ଚୁଡି ଆନ୍ଦୋଳନ. ଚାପ ବଢୁଥିବା ଦେଖି ମନ୍ତ୍ରୀ ମହାରଥୀଙ୍କୁ ଇସ୍ତଫା ଦେବାକୁ କୁହାଗଲା. ମାତ୍ର ମହାରଥୀଙ୍କ ଇସ୍ତଫା ନାଟକର ଶେଷ ଅଙ୍କ ନୁହେଁ. ବିରୋଧୀ ବେବିନା ପ୍ରସଙ୍ଗକୁ ଏତେ ଶୀଘ୍ର ଶେଷ କରିବାକୁ ଚାହାଁନ୍ତିନି. ସତକଥା ହେଉଛି, ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବେବିନା ପ୍ରସଙ୍ଗ ବିରୋଧୀଙ୍କୁ ସାହାରା ହେବ ବୋଲି ଦୁଇ ବିରୋଧୀ ଧରି ନେଇଛନ୍ତି. ମହାରଥୀ ଇସ୍ତଫା ନ ଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିରୋଧୀ କହୁଥିଲେ. ଏବେ ସିବିଆଇ ତଦନ୍ତ ଦାବିରେ ଅଡି ବସିଛନ୍ତି ବିରୋଧୀ. କଂଗ୍ରେସ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲାଣି. ଅତଏବ ପ୍ରସଙ୍ଗ ବଞ୍ଚି ରହିବା ଦରକାର. ଏ ପ୍ରସଙ୍ଗକୁ ନେଇ ପୁର୍ନବିଚାର କରିବାକୁ  ସରକାର ହାଇକୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି. ତେବେ ସରକାରଙ୍କ ଏସବୁ ପ୍ରତିଶ୍ରୁତି ବେବିନା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିବା ଭଳି ଲାଗୁନି. ବେବିନାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅବିଚାର ପ୍ରତି ସମଗ୍ର ରାଜ୍ୟ ସହାନୁଭୂତିଶୀଳ ଥିବା ବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦାୟିତ୍ବହୀନ ମନ୍ତବ୍ୟ ପୁଣି ବେବିନା ପ୍ରସଙ୍ଗକୁ ବଞ୍ଚେଇବାରେ ସାହାଯ଼୍ୟ କରିଛି. ପ୍ରଧାନମନ୍ତ୍ରୀ ବି ଓଡିଶା ଗସ୍ତରେ ଆସିଥିବା ବେଳେ ପିପିଲି ପୀଡିତାଙ୍କ କଥା କହି ଲୋକଙ୍କ ସହାନୁଭୂତି ହାସଲ କରିବାକୁ ଉଦ୍ୟମ କରିଛନ୍ତି. ମାତ୍ର ବେବିନାଙ୍କ ପରିବାରକୁ ନ୍ୟାୟ ମିଳିବା ଦରକାର, ଏହା ସମସ୍ତେ ଚାହାନ୍ତି.

LEAVE A REPLY

Please enter your comment!
Please enter your name here