ଫନି ବାତ୍ୟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ପୁରୀ. ଶ୍ରୀମନ୍ଦିର ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ସହରକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ୟ୍ୟଟକ ଛୁଟି ଆସୁଥିଲେ. ପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ଆକର୍ଷିତ କରୁଥିଲା. ମାତ୍ର ମେ ୩ ରେ ସାମୁଦ୍ରିକ ବାତ୍ୟା ଫନିର ତାଣ୍ଡବ ଲୀଳା ପୁରୀ ସହରକୁ ସଂପୂର୍ଣ୍ଣ ଧ୍ବସ୍ତ ବିଧ୍ବସ୍ତ କରିଦେଇଛି. ସହରର ସବୁଜିମା କୁଆଡେ ଉଭେଇ ଯାଇଛି. ଆକାଶ ଛୁଆଁ ନଡିଆ ଗଛ ସବୁ ବାତ୍ୟା ଆଗରେ ମୁଣ୍ଡ ନୁଆଁଇଛନ୍ତି. ସହରର ପ୍ରାକୃତିକ ଶୋଭାରାଜି ଭୁଲୁଣ୍ଠିତ ହୋଇଛି. ଯୁଆଡେ ଚାହିଁବ, ସିଆଡେ ପଡିଛି କୁଢ କୁଢ ଗଛ. ଦିନେ ରାସ୍ତା ଦୁଇ କଡରେ ପଥିକଙ୍କୁ ଛାଇ ପ୍ରଦାନ କରୁଥିବା ଝଙ୍କାଳିଆ ଗଛ ସବୁ ଏବେ ଲଣ୍ଡିତ ଅବସ୍ଥାରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି. ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ବେଳେ ପୁରୀ ସହରର ସୌନ୍ଦର୍ୟ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା. ମାତ୍ର ସବୁ ସୌନ୍ଦର୍ୟ୍ୟକୁ ବାତ୍ୟା ଲୁଟି ନେଇଛି. ମାଳତୀପାଟପୁରରେ ନବକଳେବର ସମୟରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ବସଷ୍ଟାଣ୍ଡ୍ ବି ଭାଙ୍ଗିରୁଜି ଯାଇଛି. ବାତ୍ୟାରେ ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାଓାର ଭାଙ୍ଗି ଯାଇଥିବା ଯୋଗୁ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡୁଛି. ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରାୟ ଦଶ ହଜାର କର୍ମଚାରୀ କାର୍ୟ୍ୟ କରୁଛନ୍ତି. ବାତ୍ୟାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ପୁରୀର ପର୍ୟ୍ୟଟନ ଶିଳ୍ପ. ଅଧିକାଂଶ ହୋଟେଲ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି. ତା ସାଙ୍ଗକୁ ବିଦ୍ୟୁତ ଓ ଯୋଗାଯୋଗ ବ୍ୟବସ୍ଥା ଭୁଷୁଡି ପଡିଥିବା ଯୋଗୁ ପର୍ୟ୍ୟଟକଙ୍କ ଆସିବା ଏକ ପ୍ରକାର ଠପ୍ ହୋଇଯାଇଛି. ପୁରୀ କୋଣାର୍କ ବେଳାଭୂମିକୁ ସଂପୂର୍ଣ୍ଣ ଧ୍ବସ୍ତ କରିଦେଇଛି ବାତ୍ୟା ଫନି. ବାଲୁଖଣ୍ଡ ଅଞ୍ଚଳରେ ବହୁ ଗଛ ଉପୁଡି ପଡିବା ଯୋଗୁ ଚିତ୍ରା ହରିଣଙ୍କ ଆଶ୍ରୟସ୍ଥଳ ବି ଭାଙ୍ଗିରୁଜି ଯାଇଛି. କହିବାକୁ ଗଲେ ଫନି ଓଡିଶାର ପ୍ରାଣକେନ୍ଦ୍ର ପୁରୀକୁ ପୁରାପୁରି ଶ୍ରୀହୀନ କରିଦେଇଛି.

LEAVE A REPLY

Please enter your comment!
Please enter your name here