ଆଜି ଅଣସରର ପଞ୍ଚମ ଦିବସ । ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ଠାକୁରମାନେ ରହିବାର ୫ମ ଦିନ। ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯାଉଛି ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍‌ ହୋଇଛି ଫୁଲୁରୀ ତେଲ।
ଏହି ଫୁଲରୀ ତେଲ ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ଫୁଲ ମଲ୍ଲୀ, କିଆ, କେତକି ସହ କିଛି ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ।

ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି। ଗତ ବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ହାଣ୍ଡିରେ ଘଣାପେଡ଼ା ରାଶିତେଲରେ ଉପରୋକ୍ତ ଔଷଧୀୟ ଫୁଲ ଓ ଚେରମୂଳୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ମଠ ପକ୍ଷରୁ ଅଣସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ। byte 2-ମଠ ମହନ୍ତ ll ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତାପତି ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here