ମୋଦୀଙ୍କ ଦ୍ୱିତୀୟ ପାଳିରେ ଓଡିଶାରୁ କିଏ ହେବେ ମନ୍ତ୍ରୀ । ଗତଥର ୨୧ ଲୋକସଭା ଆସନରୁ ଗୋଟିଏ ଆସନରେ ଜିତିଥିଲା ବିଜେପି । ଲୋକସଭା ସାଂସଦ ଜୁଏଲ ଓରାମ ଓ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ମାତ୍ର ଏଥର ଆଠଟି ଆସନରେ ବିଜେପି ଜିତିଥିବାରୁ କେନ୍ଦ୍ରରେ ମନ୍ତ୍ରୀ ହେବା ପାଇଁ ଆଶାୟୀ ସାଂସଦଙ୍କ ସଂଖ୍ୟା ବଢିଯାଇଥିଲା । ଓଡିଶାରୁ ବିଜେପିର ନିର୍ବାଚିତ ସାଂସଦଙ୍କ ମଧ୍ୟରେ ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ଅଛନ୍ତି । ଏପରିକି ଆଇଏଏସ ଚାକିରି ଛାଡି ରାଜନୀତିକୁ ଓହ୍ଲାଇଥିବା ଅପରାଜିତା ଷଡଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା । ରାଜ୍ୟ ବିଜେପିରେ ଖୁବ୍ ପ୍ରଭାବଶାଳୀ ମନେ ହେଉଥିବା ବସନ୍ତ ପଣ୍ଡା, ସୁରେଶ ପୂଜାରୀ , ସଙ୍ଗିତା ସିଂ ଦେଓ ଓ ଅପରାଜିତା ଷଡଙ୍ଗୀଙ୍କୁ ପଛରେ ପକାଇ ବାଜି ମାରିନେଲେ ବାବାଜୀ ସାଂସଦ । ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ପ୍ରତାପ ଷଡଙ୍ଗୀ ପୂର୍ବରୁ ବିଧାୟକ ମଧ୍ୟ ହୋଇଥିଲେ । ସଘଂ ପରିବାରର ସଂଗଠକ ଭାବେ ପରିଚିତ ପ୍ରତାପ ନିଜର ସାଧାରଣ ଜୀବନ ଚର୍ଯ୍ୟା ପାଇଁ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି । ଜଣେ ରାଜନେତା ହେଲେ ମଧ୍ୟ ସେ ନିଜ ଗାଁରେ ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରନ୍ତି । ତାଙ୍କର ଏହି ସାଧାରଣ ଜୀବନ ଚର୍ଯ୍ୟା ତାଙ୍କୁ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାରେ ସାହାର୍ଯ୍ୟ କରିଛି ।

LEAVE A REPLY

Please enter your comment!
Please enter your name here