ଓଡିଶା ବିଧାନସଭାରେ ବିରୋଧୀଙ୍କ ବିରୋଧର ଭାଷା । ସବୁ ଅଭଦ୍ରାମୀର ସମୀ ଲଂଘନ କରିଛନ୍ତି ବିରୋଧୀ । ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ । ସଂଶୋଧିତ ଲୋକାୟୁକ୍ତ ବିଲ୍ ଗୃହରେ ପାରିତ ହେବା ପରେ ଘଟିଛି ଏଭଳି ଅଘଟଣ । ଏହି ଘଟଣା ପରେ ବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅନ୍ୟପକ୍ଷରେ କିଏ ଚପଲ ଫିଙ୍ଗିଛି, ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଇନ ତା ବାଟରେ ଯିବ ବୋଲି ବାଚସ୍ପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିରୋଧୀ ଦଳ ଉପନେତା ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ କହିଛନ୍ତି, ସେ ବାଚସ୍ପତିଙ୍କ ପୋଡିଅମ ଉପରକୁ ଇୟର ଫୋନ୍ ଫିଙ୍ଗିଥିବା କହିଛନ୍ତି । ତେବେ ଚପଲ ସେ ଫିଙ୍ଗିନାହାଁନ୍ତି ବୋଲି କହିଛନ୍ତି । କେହି ନୂଆ ବିଧାୟକ ଏଭଳି କରିଥିବେ ବୋଲି ସେ କହିଛନ୍ତି । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଫିଙ୍ଗିଛନ୍ତି । ତେବେ ବିରୋଧୀ କହିଛନ୍ତି, ବାଚସ୍ପତି ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛନ୍ତି । ଗୃହ ଭିତରେ ବିଶୃଙ୍ଖଳା ଥିବା ବେଳେ କୌଣସି ଆଇନ ପାରିତ ହେବା କଥା ନୁହେଁ । ମାତ୍ର ବିରୋଧୀଙ୍କୁ କହିବା ପାଇଁ ସୁଯୋଗ ନ ଦେଇ ବିଲ୍ ପାରିତ କରିଥିବାରୁ ବିରୋଧୀ ଉତକ୍ଷିପ୍ତ ହୋଇ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଓ ପାଟିତୁଣ୍ଡ କରି ବିରୋଧୀ ପ୍ରତିବାଦ କରିଥାନ୍ତି । ମାତ୍ର ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here