ବାତ୍ୟା ବିପର୍ଯ୍ୟୟର ଗୁଜରାଟର ଜଖଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ୍ କରିଛି । ରାତି ବାରଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହାର ପ୍ରଭାବରେ ଗୁଜରାଟ ଉପକୂଳ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ଘଣ୍ଟାକୁ 115 ରୁ 125 କିଲୋମିଟର ବେଗରେ ପବନ ବହୁଥିବା ବେଳେ 12 ରୁ 15 କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ସେନା ବାହିନୀ ସମେତ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ତେବେ ବିପର୍ଯ୍ୟୟ ଉପକୂଳବର୍ତ୍ତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି । ବଡ ବଡ ଗଛ ଉପୁଡି ପଡିଥିବା ବେଳେ ଅନେକ ଘର ବାତ୍ୟାରେ ଭୁଷୁଡି ପଡିଛି । ଦୁଇରୁ ତିନି ମିଟର ଉଚ୍ଚାରେ ସମୁଦ୍ର ପାଣି ମାଡି ଆସିବାରୁ ସମୁଦ୍ର ତଟବର୍ତ୍ତି ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଦ୍ବାରକା, ମାଣ୍ଡଭି, ମର୍ବି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ରହିଥିବା କୁହାଯାଉଛି । ଭାରତୀୟ ପାଣଇପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ବାତ୍ୟା ବିପର୍ଯ୍ୟୟର ଆଖି ଅର୍ଥାତ କେନ୍ଦ୍ରସ୍ଥଳର ପରିଧି 50 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିବାରୁ ପ୍ରଭାବ ଅଧିକ ରହିଛି । ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବରେ ଗୁଜରାଟ ଓ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here