ମୁଖ୍ୟମନ୍ତ୍ରୀ ଆସନରେ ନୂଆ ଚେହେରା । କେବେ କେହି ଚର୍ଚ୍ଚା କରୁ ନ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବିଜେପି । ଏପରିକି ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିବା ନେତା ମୁଖ୍ୟମନ୍ତ୍ରୀ । ସଦ୍ୟ ଶେଷ ହୋଇଥିବା ରାଜ୍ୟଗୁଡିକ ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ସରକାର ଗଢୁଛି ବିଜେପି । ଛତିଶଗଡରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ପରେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି ବିଜେପି । ମଧ୍ୟପ୍ରଦେଶରେ ମଧ୍ୟ ସେହି ଫର୍ମୁଲା ଆପଣେଇଛି ଦଳ । ଚର୍ଚ୍ଚାରେ ଥିବା ଶିବରାଜ ସିଂ ଚୌହାନଙ୍କୁ ନିରାଶ କରି ବିଧାୟକ ଦଳ ନେତା ଭାବେ ମୋହନ ଯାଦବଙ୍କୁ ବାଛିଛି ଦଳ । ଉଜ୍ଜୟିନୀ ଆସନରୁ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ମୋହନ ଯାଦବ 2020ରେ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ତେବେ ରାଜ୍ୟରେ ଯାଦବ ସଂପ୍ରଦାୟର ପ୍ରତିନିଧିତ୍ବ କରୁଥିବା 58 ବର୍ଷୀୟ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦଳ ମଧ୍ୟପ୍ରଦେଶରେ ନୂଆ କାର୍ଡ ଖେଳିଛି । ତେବେ ଦଳୀୟ ନେତାଙ୍କ ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ଛତିଶଗଡ ଭଳି ଏଠି ମଧ୍ୟ ଦୁଇଜଣ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ଉପମୁଖ୍ୟମନ୍ତ୍ରୀ ହେବେ । ତେବେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ଆଶାରୁ ନିରାଶ ହେବାକୁ ପଡିଛି । ଯଦିଓ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି କ୍ଷମତାକୁ ଫେରିବା ପଛରେ ଶିବରାଜ ସିଂହ ଚୌହାନଙ୍କ ବଡ ଭୂମିକା ଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ କହିଥିଲା । ଚର୍ଚ୍ଚା ହେଉଥିଲା ତୋମାର ନିର୍ବାଚନ ଜିତିଲେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ । ମାତ୍ର ଶିବରାଜ ସିଂହ ଚୌହାନଙ୍କ ପରି ତୋମାରଙ୍କୁ ବି ନିରାଶ ହେବାକୁ ପଡିଛି । ତେବେ ଦଳ ତାଙ୍କୁ ବାଚସ୍ପତି ପଦରେ ବସାଇବାକୁ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here