ବାଲେଶ୍ବର-ବାହାନଗା ନିକଟରେ ଦୁଇ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଓ ଯଶଓ୍ୱନ୍ତପୁର-ହାଓ୍ୱଡା ଏକ୍ସପ୍ରେସ ପରସ୍ପରକୁ ଧକ୍କା ଦେବା ଫଳରେ ଅନେକ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଆଜି ସଂଧ୍ୟା ସାତଟା ବେଳେ ଏହି ମର୍ମତୁଦ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ କରମଣ୍ଡଳ ଏକ୍ସପ୍ରେସର 10 ରୁ 12ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଲାଇନଚ୍ୟୁତ ବଗିକୁ ଧକ୍କା ଦେଇଥିଲା ଯଶଓ୍ୱନ୍ତପୁର ହାଓଡା ଏକ୍ସପ୍ରେସ୍ । ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଦୁଇ ଏକ୍ସପ୍ରେସ ଟ୍ରେନର 17ଟି ବଗି ଓଲଟି ପଡିଥିଲା । ଟ୍ରେନ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଶହେରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ତେବେ ଦୁର୍ଘଟଣାସ୍ଥଳ ଅନ୍ଧାର ଥିବାରୁ ଓଲଟି ପଡିଥିବା ବଗି ମଧ୍ୟରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ଯାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଶହେ ଆମ୍ବୁଲାନ୍ସ ସହ 50 ବସ୍ ମଧ୍ୟ ନିୟୋଜିତ କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ଭଦ୍ରକ, ବାଲେଶ୍ବର ଓ କଟକ ହସପିଟାଲକୁ ପ୍ରସ୍ତୁତ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସ୍ଥାନୀୟ ଲୋକେ ସହାୟତା କରୁଛନ୍ତି । ଦୁର୍ଘଟଣାଗ୍ରସ୍ତ ବଗିଗୁଡିକ ମଧ୍ୟରୁ ଯାତ୍ରୀଙ୍କ ବିକଳ ଚିତ୍କାର ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଗ୍ୟାସ କଟର, ଶାବଳ, ଗଇଁତି ବ୍ୟବହାର କରି ଟ୍ରେନ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ।

ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ଦୁଇଲକ୍ଷ ଟଙ୍କା ଏବଂ ଅଳ୍ପ ଆହତଙ୍କ ପରିବାରକୁ 50 ହଜାର ଟଙ୍କା ସହାୟତା ଦେବାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଟ୍ରେନ ଦୁର୍ଘଟଣା ପରେ କେତେକ ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here